ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଅନୁପ୍ରବେଶ କରିବାକୁ ଅପଚେଷ୍ଟା କରୁଥିବା ଚୀନକୁ ଏକ ବଡ଼ ଝଟକା ଲାଗିଛି । ଚାଇନାକୁ ଚକମା ଦେଇ ଭାରତ ପଡ଼ୋଶୀ ଶ୍ରୀଲଙ୍କା ସହିତ ଏକ ବଡ଼ ଚୁକ୍ତି କରିଛି । ଭାରତର ପ୍ରମୁଖ ପ୍ରତିରକ୍ଷା ସାର୍ବଜନୀନ କ୍ଷେତ୍ର କମ୍ପାନୀ ମାଜାଗାଓଁ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ (MDL) ଶ୍ରୀଲଙ୍କାର ସର୍ବବୃହତ ଜାହାଜ କାରଖାନା, କଲମ୍ବୋ ଡକୟାର୍ଡ ପିଏଲସି (CDPLC)ରେ ଏକ ନିୟନ୍ତ୍ରଣ ଅଂଶଧନ ଅଧିଗ୍ରହଣ ଘୋଷଣା କରିଛି । ଏହି ଚୁକ୍ତି ୫୨.୯୬ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୪୫୨ କୋଟି ଟଙ୍କା) ହୋଇଛି । ଏହା ଭାରତ ସରକାରଙ୍କ ପ୍ରତିରକ୍ଷା ଜାହାଜ କମ୍ପାନୀ ଦ୍ୱାରା ପ୍ରଥମ ଆନ୍ତର୍ଜାତୀୟ ଅଧିଗ୍ରହଣ ହେବ ଏବଂ ଏହା ଭାରତ ମହାସାଗର କ୍ଷେତ୍ରରେ ଭାରତର ଏକ "ରଣନୈତିକ ଉପସ୍ଥିତି" ହେବ ।
ମାଜଗାଓଁ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ କଲମ୍ବୋ ଡକୟାର୍ଡରେ ଅତି କମରେ ୫୧% ଅଂଶଧନ ଅଧିଗ୍ରହଣ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଅଧିଗ୍ରହଣ ପ୍ରାଥମିକ ପୁଞ୍ଜି ନିବେଶ ଏବଂ ଦ୍ୱିତୀୟ ଅଂଶଧନ କ୍ରୟର ମିଶ୍ରଣ ମାଧ୍ୟମରେ କରାଯିବ । ଯେଉଁଥିରେ ଜାପାନର ଓନୋମିଚି ଡକୟାର୍ଡ କମ୍ପାନୀ ଲିମିଟେଡ୍ ଠାରୁ ଅଂଶଧନ କ୍ରୟ ଅନ୍ତର୍ଭୁକ୍ତ ରହିଛି । ଯାହା ବର୍ତ୍ତମାନ CDPLCର ଅଧିକାଂଶ ଅଂଶଧନକର୍ତ୍ତା । ଏହି ଚୁକ୍ତି ନିୟାମକ ଅନୁମୋଦନ ଏବଂ ଅନ୍ୟାନ୍ୟ ସାଧାରଣ ସର୍ତ୍ତାବଳୀ ଉପରେ ନିର୍ଭର କରେ ଏବଂ ଏହା ଚାରିରୁ ଛଅ ମାସ ମଧ୍ୟରେ ସମାପ୍ତ ହେବାର ଆଶା କରାଯାଉଛି । ଚୁକ୍ତି ସମାପ୍ତ ହେବା ପରେ କଲମ୍ବୋ ଡକୟାର୍ଡ ଭାରତର ଏମଡିଏଲର ଏକ ସହାୟକ କମ୍ପାନୀ ହୋଇଯିବ ।
ଏମଡିଏଲର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାପଟେନ୍ ଜଗମୋହନ ଟାଇମ୍ସ ଗଣମାଧ୍ୟମକୁ କହିଛନ୍ତି, ସିଡିପିଏଲସିର ଏକ ନିୟନ୍ତ୍ରଣ ଅଂଶଧନର ପ୍ରସ୍ତାବିତ ଅଧିଗ୍ରହଣ ଆମ ଜାହାଜ କାରଖାନାକୁ ଏକ ଆଞ୍ଚଳିକ ସାମୁଦ୍ରିକ ଶକ୍ତି ଏବଂ ଦୀର୍ଘକାଳୀନ ଭାବରେ ଏକ ବିଶ୍ୱ ଜାହାଜ ନିର୍ମାଣ କମ୍ପାନୀରେ ପରିଣତ କରିବା ପାଇଁ ଏକ 'ଦ୍ୱାର' ଅଟେ । କଲମ୍ବୋ ବନ୍ଦରରେ ସିଡିପିସିଏଲର ରଣନୈତିକ ସ୍ଥାନ, ଏହାର ପ୍ରମାଣିତ କ୍ଷମତା ଏବଂ ଆଞ୍ଚଳିକ ଉପସ୍ଥିତି ଏମଡିଏଲକୁ ଦକ୍ଷିଣ ଏସିଆରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ପ୍ରତିଷ୍ଠା କରିବ ।
ମାଜଗାଓଁ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ହେଉଛି ଭାରତର ସର୍ବବୃହତ ପ୍ରତିରକ୍ଷା ଜାହାଜ ନିର୍ମାଣ କମ୍ପାନୀ । ଜାହାଜ ନିର୍ମାଣ, ମରାମତି ଏବଂ ଭାରୀ ଇଞ୍ଜିନିୟରିଂରେ ୫୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । କମ୍ପାନୀ ଜାପାନ, ନରୱେ, ଫ୍ରାନ୍ସ, ୟୁଏଇ, ଭାରତ ଏବଂ ଅନେକ ଆଫ୍ରିକୀୟ ଦେଶ ପାଇଁ ଜଟିଳ ଅଫଶୋର ସପୋର୍ଟ ଜାହାଜ, କେବୁଲ ବିଛାଇବା ଜାହାଜ, ଟ୍ୟାଙ୍କର୍ ଏବଂ ପାଟ୍ରୋଲ୍ ଡଙ୍ଗା ନିର୍ମାଣ କରିଛି । ଏହି କମ୍ପାନୀ ବର୍ତ୍ତମାନ ପ୍ରାୟ 300 ନିୟୁତ ଡଲାର ମୂଲ୍ୟର ପ୍ରକଳ୍ପ ଉପରେ କାମ କରୁଛି ।