କୋଲକାତା: କୋଲକାତାର ସାଉଥ କୋଲକାତା ଲ କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ପୁଣି ଥରେ ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୀଡିତାଙ୍କ ଶରୀରରେ ବଳପୂର୍ବକ, କାମୁଡିବାର ଚିହ୍ନ ଏସବୁର ପ୍ରମାଣ ମିଳିଛି । ପୀଡ଼ିତାଙ୍କ ମେଡିକାଲ୍ ଯାଞ୍ଚ ପରେ ଘଟଣାର ସତ୍ୟତା ଆହୁରି ପଦାକୁ ଆସିଛି। ଏହି ଘଟଣା ଜୁନ ୨୫ରେ କଲେଜ୍ ପରିସରେ ଘଟିଛି। ଏଥିରେ ଜଣେ ପୂର୍ବତନ ଛାତ୍ର ଓ ଦୁଇ ଜଣ ସିନିୟର ଛାତ୍ରଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ହୋଇଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ସମେତ ତିନି ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି।
ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ଜଣେ ଅଧିକାରୀ କହିଛନ୍ତି ଯେ, କସବା ଥାନାରେ ପୀଡ଼ିତା ଅଭିଯୋଗ କରିଥିଲେ। ତଦନ୍ତରୁ ଘଟଣାର ପ୍ରମାଣ ମିଳିଛି। ଅଧିକାରୀ କହିଛନ୍ତି ଅଭିଯୁକ୍ତ ମିଶ୍ର ନିଜେ ଜଣେ ଅପରାଧିକ ମାମଲାର ଆଇନଜୀବୀ। ସେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଦୁଇ ଜଣ ରୁମ ବାହାରେ ପହରା ଦେଇଥିଲେ। ମୁଖ୍ୟ ପୋଲିସ ଅଭିଯୋଜକ ସୌରିନ ଘୋଷାଲ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତିର ଦ୍ଵାହି ଦେଇ କହିଛନ୍ତି ଯେ, ଗଣଦୁଷ୍କର୍ମ ମାମଲାରେ ସାମିଲ ସମସ୍ତ ବ୍ୟକ୍ତିଙ୍କୁ ଦାୟୀ କର୍ୟାିବ। ସେମାନେ ଦୁଷ୍କର୍ମ କରି ନ ଥିଲେ ବି ଦୁଷ୍କର୍ମ କରିଥିବା ବ୍ୟକ୍ତି ସହ ସମାନ ଭାବେ ଦାୟୀ ରହିବେ।
ଗଣଦୁଷ୍କର୍ମ ମାମଲାରେ ପଶ୍ଚିମବଙ୍ଗରେ ପୁଣି ଥରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏଥିରେ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାଜନୈତିକ ବିବାଦ ଆରମ୍ଭ ହୋଇ ଯାଇଛି । ଟିଏମସି ମନ୍ତ୍ରୀ ଶଶି ପାଞ୍ଜା କହିଛନ୍ତି, ପୋଲିସ ଅଭିଯୋଗ ପାଇବାର ୧୨ ଘଣ୍ଟା ଭିତରେ ତିନି ଅଭିଯୁକ୍ତକୁ ଗିରଫ କରିଛି । ସେମାନଙ୍କ ମୋବାଇଲ ଫୋନ ବି ଜବତ କରାଯାଇଛି । ମାମଲାରେ ନ୍ୟାୟ ମିଳିବ ଏବଂ ଆଗକୁ ତଦନ୍ତ ଜାରି ରହିବ ବୋଲି ଆଶ୍ୱାସନ ଦିଆଯାଉଛି । ବିଜେପିର ପଶ୍ଚିମବଙ୍ଗ ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଦାବି କରିଛନ୍ତି ଯେ, ଗଣଦୁଷ୍କର୍ମ ଘଟଣା ଏହା ଦର୍ଶାଉଛି ଯେ, ରାଜ୍ୟରେ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରୀ ସୁରକ୍ଷିତ ନାହାନ୍ତି ।