ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶନିବାର ସମ୍ବିଧାନର ପ୍ରସ୍ତାବନା ଉପରେ ବଡ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ସମ୍ବିଧାନର ପ୍ରସ୍ତାବନା ପରିବର୍ତ୍ତନଶୀଳ ନୁହେଁ । ଦୁନିଆର କୌଣସି ବି ଅନ୍ୟ ଦେଶର ସମ୍ବିଧାନ ପ୍ରସ୍ତାବନାରେ ଏମିତି କୌଣସି ପରିବର୍ତ୍ତନ ଘଟିନାହିଁ । ମାତ୍ର ଭାରତରେ ଏମିତି ଥରୁଟିଏ ହୋଇଛି । ଏହି ପ୍ରସ୍ତାବନା ୧୯୭୬ର ୪୨ତମ ସଂଶୋଧନ ଅଧିନିୟମ ଜରିଆରେ ପରିବର୍ତ୍ତନ କରାଯାଇଥିଲା । ସଂଶୋଧନ ମାଧ୍ୟମରେ ଏଥିରେ ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦ ଯୋଡା ଯାଇଥିଲା । ଧନଖଡ କହିଛନ୍ତି ଏହା ଉପରେ ଆମକୁ ବିଚାର କରିବା ଉଚିତ୍ । ବିଆର ଆମ୍ବେଦକର ସମ୍ବିଧାନ ଉପରେ ବହୁ ପରିଶ୍ରମ କରିଥିଲେ ଏବଂ ନିଶ୍ଚିତ ରୂପେ ସେ ଏହା ଉପରେ ଧ୍ୟାନ ଦେଇଥିବେ ।
ଧନଖଡ ଏହି ଟିପ୍ପଣୀ ଏକ ପୁସ୍ତକ ବିମୋଚନ ସମାରୋହରେ ଦେଇଛନ୍ତି । ତାଙ୍କର ଏହି ଟିପ୍ପଣୀ ଏମିତି ସମୟରେ ଆସିଛି ଯେତେବେଳେ ଆରଏସଏସ ଗୁରୁବାର ସମ୍ବିଧାନର ପ୍ରସ୍ତାବନାରେ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦର ସମୀକ୍ଷା କରିବା ପାଇଁ ଆହ୍ୱାନ କରିଥିଲେ । ଆରଏସଏସ କହିଥିଲା ଏହି ଶବ୍ଦକୁ ଜରୁରୀକାଳୀନ ସମୟରେ ସାମିଲ କରାଯାଇଥିଲା । ଏହା କଦାପି ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ନୁହେଁ ।
କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଆରଏସଏସର ସାଧାରଣ ସଂପାଦକ ଦତ୍ତାତ୍ରେୟ ହୋସବାଲେଙ୍କ ଏହି ଆହ୍ୱାନକୁ ସମାଲୋଚନା କରିଥିଲେ । ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ତରରେ ବିତର୍କ ହେବା ଉଚିତ୍ ଯେ, ଧର୍ମନିରପେକ୍ଷ ଓ ସମାଜବାଦୀ ଶବ୍ଦକୁ ସମ୍ବିଧାନର ପ୍ରସ୍ତାବନାରେ ରହିବା ଉଚିତ୍ ନା ନାହିଁ । ହୋସବଲେଙ୍କ ଏହି ଟିପ୍ପଣୀକୁ ବିରୋଧୀ ଧଳ ସମ୍ବିଧାନର ଆତ୍ମା ଉପରେ ଜାଣିଶୁଣି ହମଲା କରାଯାଉଥିବା କହିଛନ୍ତି । ହୋସବଲେଙ୍କ ବୟାନରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି ।