ନୂଆଦିଲ୍ଲୀ: ପାକିସ୍ତାନ ସେନାକୁ ଏକ ଶକ୍ତ ଝଟକା ଲାଗିଛି । ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୬ ପାକ୍ ସୈନ୍ୟଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୬ ଜଣ ସେନା କର୍ମଚାରୀ ଏବଂ ୬ ଜଣ ଛୋଟ ପିଲାଙ୍କ ସହିତ ୧୯ ଜଣ ସାଧାରଣ ନାଗରିକ ମଧ୍ୟ ସାମିଲ ଅଛନ୍ତି । ୪ ଜଣ ସୈନ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ରହିଛି । ବିସ୍ଫୋରଣରେ ଦୁଇଟି ଘରର ଛାତ ମଧ୍ୟ ଉଡ଼ିଯାଇଥିବା ଜଣାପଡ଼ିଛି ।
ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ପାକିସ୍ତାନର ପଖତୁନଖ୍ୱା ଅଞ୍ଚଳରେ ବାରୁଦରେ ଭର୍ତ୍ତି ଏକ ଗାଡ଼ି ସେନା ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ତାଲିବାନର ହାଫିଜ ଗୁଲ ବାହଦୂର ଶାଖା ଏହି ଆକ୍ରମଣ କରିଥିବା ସ୍ୱୀକାର କରିଛି ।
ଇସଲାମାବାଦର ଅଭିଯୋଗ ଅନୁସାରେ, ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ପାକିସ୍ତାନ ସୀମା କ୍ରମାଗତ ଅଶାନ୍ତ ରହୁଛି । ଆଫଗାନୀସ୍ତାନ ନିଜ ମାଟିକୁ ପାକିସ୍ତାନ ବିରୁଦ୍ଧରେ ଆକ୍ରମଣ କରିବାକୁ ଅନୁମତି ଦେଉଛି । କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି ତାଲିବାନ । ଚଳିତ ବର୍ଷ ପଖତୁନଖ୍ୱା ଏବଂ ବଲୁଚିସ୍ତାନରେ ଆକ୍ରମଣରେ ୨୯୦ରୁ ଅଧିକ ସୁରକ୍ଷାକର୍ମୀ ପ୍ରାଣ ହରାଇଲେଣି ।