ଭୁବନେଶ୍ୱର: ଚଳିତ ବର୍ଷ ରଥଟଣା ବିଳମ୍ବକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ରାଜ୍ୟରେ ରାଜନୀତି ପାଣିପାଗ ସରଗରମ ହୋଇଯାଇଛି । ଶାସକ ଦଳକୁ ଏବେ ଘେରିଛି ବିରୋଧି ବିଜେଡ଼ି । କାହିଁକି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ବିଳମ୍ବ ହେଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେପଟେ ଜବାବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେଉଁମାନେ ରାଜନୀତି କରୁଛନ୍ତି, ଆଜି ନ ହେଲେ କାଲି ନିଶ୍ଚିତ ଭୋଗିବେ ।
ରଥଟଣା ବିଳମ୍ବକୁ ନେଇ ବିରୋଧୀଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନଙ୍କ ଉଦ୍ବେଗ ପ୍ରକାଶ କରିଛନ୍ତି । ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଭିଡ଼ ନିୟନ୍ତ୍ରଣ ତ୍ରୁଟିକୁ ଦାୟୀ କରିଛନ୍ତି । ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ଅଟକି ରହିବା ବିଶ୍ୱରୁ ଆସିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ନିରାଶ ଓ ହତାଶ କରିଛି । ଏହି ଘଟଣା ସରକାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଆତ୍ମଚିନ୍ତନ ଆଣିବ ବୋଲି ନବୀନ କହିଛନ୍ତି ।
ନବୀନ ଲେଖିଛନ୍ତି, ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ । କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ'କରି ରହି ହେଉନାହିଁ। ଗତ ବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା ଏବଂ ଏ ବର୍ଷ, ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିଥିଲା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର୍ ଗଡ଼େଇ ଦିଆଗଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ନିରାଶ ଓ ହତାଶ କରିଛି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ଶହ ଶହ ଭକ୍ତ ଆହତ ହୋଇଛନ୍ତି । ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା: "ରଥଯାତ୍ରାର ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ । ମୁଁ ଆଶା କରିବି ଏହି ଘଟଣା ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ।"
ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । ରଥଯାତ୍ରା ଶୃଙ୍ଖଳିତ ସହିତ ଚାଲିଛି । ବହୁତ ଭିଡ଼ ହୋଇଥିଲା । ବଳଭଦ୍ରଙ୍କ ରଥର ମୋଡ଼ ବଦଳିବାରୁ ଜଗନ୍ନାଥ ରଥଟଣାରେ ବିଳମ୍ବ ହୋଇଥିଲା । କିନ୍ତୁ ନନ୍ଦିଘୋଷ ରଥ ବିଧି ମୁତାବକ ଟଣା ଯାଇଥିଲା । କିନ୍ତୁ ଯେଉଁମାନଙ୍କୁ ଜଣ୍ଡିସ୍ ହୋଇଥିବ ସେମାନଙ୍କୁ ସବୁ ହଳଦିଆ ହଳଦିଆ ଦିଶିବ । ତେଣୁ ଜଣ୍ଡିସ ହୋଇଥିବା ଲୋକଙ୍କୁ ମହାପ୍ରଭୁଙ୍କ ଲୀଳା ରାଜନୀତି ପରି ଲାଗୁଛି । ଅତୀତରେ ସେମାନେ ଅନେକ ତ୍ରୁଟି କରି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି । ଅଧିକାଂଶ ସମୟରେ ଦ୍ୱିତୀୟ ଦିନରେ ରଥଟଣା ହୋଇଛି । ମୋ ଦେଖିବାରେ ୧୯୭୭ ଠାରୁ ଆଜି ଯାଏଁ ପ୍ରଥମ ଦିନରେ ରଥ ପହଞ୍ଚିନି । ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଆଜି ନ ହେଲେ କାଲି ଭୋଗିବେ ବୋଲି ଚେତାଇ ଦେଇଛନ୍ତି ଆଇନ ମନ୍ତ୍ରୀ ।
ଗତକାଲି ରଥଯାତ୍ରାରେ ମହାପ୍ରଭୁ ବଳଭଦ୍ରଙ୍କ ରଥ ଟଣା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଥିଲା । ସମସ୍ତ ନୀତିକାନ୍ତି ମଧ୍ୟ ସୂଚାରୁ ରୂପେ ଶେଷ ହେବା ପରେ ତାଳଧ୍ୱଜ ଗଡ଼ିଥିଲା । ପରେ ପରେ ଦେବଦଳନ ଚାଲିଥିଲା । କିନ୍ତୁ ତାଳଧ୍ୱଜ ବାରମ୍ବାର ମୋଡ଼ ପରିବର୍ତ୍ତନ କରିବାକୁ ନନ୍ଦିଘୋଷ ଗଡ଼ିବାରେ ବିଳମ୍ବ ହୋଇଥିଲା । ତଥାପି ବଡ଼ ଠାକୁର କାଳିଆ ସାଆନ୍ତଙ୍କ ରଥଟଣା ପ୍ରାୟ 7ଟା ବେଳକୁ ହୋଇଥିଲା ଏବଂ ମାତ୍ର କିଛି ବାଟ ଯିବା ପରେ ରଥ ଟଣାକୁ ସ୍ଥଗିତ ରଖାଯାଇଥିଲା । ତେବେ ଦ୍ୱିତୀୟ ଦିନରେ ରଥଟଣା କିଛି ନୂଆ କଥା ନୁହେଁ । ଅତୀତରେ ଅନେକ ବାର ଏମିତି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।