ପୁରୀ: ଭିତର ରତ୍ନଭଣ୍ତାରର ମରାମତି କାର୍ଯ୍ୟ ଶେଷ ହୋଇଛି । ଶନିବାର ଅର୍ଥାତ୍ ଆଜି ବାହାର ରତ୍ନଭଣ୍ତାର ମରାମତି କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ଆସନ୍ତା ୮ ଦିନ ମଧ୍ୟରେ ଏହି କାର୍ଯ୍ୟକୁ ଶେଷ କରିବାକୁ ଯୋଜନା କରାଯାଇଛି । ଏହି କାର୍ଯ୍ୟ କିଭଳି ଭାବରେ ଶୃଙ୍ଖଳାର ସହିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍ଆଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରାଯାଇଛି ।
ଯେତେଶୀଘ୍ର ସମ୍ଭବ ଏହି ମରାମତି କାର୍ଯ୍ୟ କରିବାକୁ ଏଏସ୍ଆଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି, କାରଣ ବାହାର ରତ୍ନଭଣ୍ଡାରର ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି। ହାତରେ ଆଉ ମାତ୍ର କମ୍ ସମୟ ରହିଥିବାରୁ ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି କାର୍ଯ୍ୟ କରାଯିବ । ରଥଯାତ୍ରା ଭିତରେ କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେପଟେ ବାହାର ରତ୍ନଭଣ୍ଡାର କବାଟକୁ ସୁନା ନ ହେଲେ ରୁପା ଛାଉଣି କରିବାକୁ ଯୋଜନା କରାଯାଇଛି । କିନ୍ତୁ ଏହାର ସମସ୍ତ ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ନେବ ବୋଲି ସୂଚନା ରହିଛି ।