ପୁରୀ: ଶ୍ରୀ ଗୁଣ୍ଡିଚା ମନ୍ଦିର ଆଗରେ ୩ ରଥ ଉପରେ ବିରାଜମାନ ଶ୍ରୀଜିଉ କରିଛନ୍ତି । ଆଉ କିଛି ସମୟ ଅପେକ୍ଷା ପରେ ଜନ୍ମବେଦିକୁ ବିଜେ କରିବେ କୋଟି ଓଡ଼ିଆଙ୍କ ମଉଡମଣୀ । ମାଉସୀ ମା' ବାଟ ଚାହିଁ ବସିଛି କେତେବେଳେ ଭାଇ ଭଉଣୀ ଗୁଣ୍ଡିଚା ମନ୍ଦିରରେ ବିରାଜମାନ କରିବେ । ଆସନ୍ତାକାଲି ଠାରୁ ମହାପ୍ରଭୁ ଭକ୍ତମାନଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ।
ଆସନ୍ତାକାଲି ଭକ୍ତମାନେ ଗୁଣ୍ଡିଚା ମନ୍ଦିରରୁ ଆଡ଼ପ ଅବଢ଼ା ପାଇ ପାରିବେ । ସକାଳ ଧୂପ ଗୋପାଳବଲ୍ଲଭ , ମଧ୍ଯାହ୍ନ ଧୂପ ଓ ସଂନ୍ଧ୍ଯା ଧୂପ ସରିବା ପରେ ହେବ ବଡସିଂହାର ବେଶ ଓ ଠିଆ ପହୁଡ଼ ପଡିବ । ଏହା ପରେ ଘୋଡା ଖୋଲା ଯିବ ଭୋଇ ସେବକଙ୍କ ଦ୍ୱାରା ଚାରମାଳ ବନ୍ଧା ହେବ । ତା ପରେ ଜନ୍ମବେଦିକୁ ବିଜେ କରିବେ ଶ୍ରୀଜିଉ । ନଅ ଦିନ ପାଇଁ ଗହଳ ଚହଳ ଲଗାଇ ଜନ୍ମବେଦିକୁ ଆସିଛନ୍ତି କାଳିଆ ଠାକୁର ।
ଭକ୍ତଙ୍କ ଗହଳିରେ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ଗତ ଶୁକ୍ରବାର ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥିଲା ଗତକାଲି ମହାପ୍ରଭୁଙ୍କ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ଶରଧାବାଲିରେ ପହଞ୍ଚିଥିଲା । ଆଜି ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବରାଜିବେ ଶ୍ରୀଜିଉ । ପୁରୀ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କ ରଥରେ ଦେଖିବା ପାଇଁ କାହିଁ କେଉଁ ଆଡୁ ଭକ୍ତଙ୍କ ସୁଅ ଛୁଟୁଛି ।