ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର(ଟିଏମସି)ର ଦୁଇ ବରିଷ୍ଠ ସାଂସଦ ମହୁଆ ମୋଇତ୍ରା ଓ କଲ୍ୟାଣ ବାନାର୍ଜୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । କୋଲକାତା ଲ କଲେଜ ଗଣଦୁଷ୍କର୍ମ କେସକୁ ନେଇ ମମତା ବାନାର୍ଜୀଙ୍କ ବିବାଦୀୟ ଟିପ୍ପଣୀ ପରେ ଦୁଇ ସାଂସଦଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଛି । ମାତ୍ର ଏବେ ଏହି ବିବାଦ ବ୍ୟକ୍ତିଗତସ୍ତରକୁ ପହଞ୍ଚି ଯାଇଛି । କଲ୍ୟାଣ ବାନାର୍ଜୀ କହିଛନ୍ତି, ୪୦ ବର୍ଷର ବୈବାହିକ ସଂପର୍କ ଭାଙ୍ଗିଥିବା ବ୍ୟକ୍ତି ମୋତେ ନୈତିକତା ଶିଖାଉଛନ୍ତି ।
କଲ୍ୟାଣ ବାନାର୍ଜୀ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଉପରେ ସିଧାସଳଖ ହମଲା କରି କହିଛନ୍ତି, ମହୁଆ ହନିମୁନରୁ ଫେରି ମୋ ସହ ଲଢିବାକୁ ଆସିଗଲେ । ମୋତେ ନାରୀ ବିରୋଧୀ କହୁଛନ୍ତି ? ସେ ୪୦ ବର୍ଷର ବୈବାହିକ ଜୀବନ ଭାଙ୍ଗି ୬୫ ବର୍ଷ ବୟସର ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । କଣ ସେ ମହିଳାଙ୍କୁ ଆଘାତ ଦେଇ ନାହାନ୍ତି ?
ସୂଚନାଯୋଗ୍ୟ, ମହୁଆ ମୋଇତ୍ରା ବିଜେପିର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି । କଲ୍ୟାଣ ବାନାର୍ଜୀ କହିଛନ୍ତି ଯେଉଁ ସାଂସଦ ନୈତିକତାର ଉଲ୍ଲଂଘନ କରି ଗୃହରୁ ବହିଷ୍କୃତ ହୋଇଛନ୍ତି, ସେ ମୋତେ ଜ୍ଞାନ ଦେଉଛନ୍ତି । ସେ ତ ନିଜେ ସବୁଠୁ ଅଧିକ ମହିଳା ବିରୋଧୀ । କେବଳ ନିଜର ଭବିଷ୍ୟତ ଓ ଅର୍ଥ ରୋଜଗାର ଜାଣିଛନ୍ତି ।
ଏହି ବିବାଦ ସେହି ସମୟରେ ଉପୁଜିଲା ଯେତେବେଳେ କଲ୍ୟାଣ ବାନାର୍ଜୀ କୋଲକାତା ଲ କଲେଜ ଗଣଦୁଷ୍କର୍ମ କେସରେ ଟିପ୍ପଣୀ କରି ଦୁଷ୍କର୍ମ ପୀଡିତାଙ୍କ ଉପରେ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ଯିଏ ଏମିତି ଲୋକଙ୍କ ସହ ବୁଲୁଛନ୍ତି, ସେମାନଙ୍କୁ ଚିନ୍ତା କରିବା ଉଚିତ୍ ଯେ, ସୋମାନେ କାହା ସହ ବୁଲୁଛନ୍ତି ରହୁଛନ୍ତି । ତାଙ୍କର ଏହି ବୟାନକୁ ସବୁ ମହଲରୁ ତାଙ୍କୁ ନିନ୍ଦା କରାଯାଇଛି ।