ନୂଆଦିଲ୍ଲୀ: ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଉଭୟ ଇନିଂସରେ ୧୩୪ ରନ ଓ ୧୧୮ ରନର ଶତକୀୟ ଇନିଂସ ଖେଳିଥିଲେ। ସେ ପ୍ରଥମ ଭାରତୀୟ ଓ୍ଵିକେଟ୍ କିପର ଭାବେ ଏହି ସଫଳତା ହାସଲ କରିଥିଲେ। ଶତକ ହାସଲ ପରେ ପନ୍ତ ଏକ ଖାସ୍ ସେଲିବ୍ରେସନ କରିଥାଆନ୍ତି।
ଲିଡ୍ସ ଟେଷ୍ଟ ମ୍ୟାଚ୍ରେ ଯେବେ ପନ୍ତ ପ୍ରଥମ ଇନିଂସରେ ଶତକ ହାସଲ କଲେ, କଳାବାଜି ସେଲିବ୍ରେସନ କରିଥିଲେ। ହେଲେ ଦ୍ଵିତୀୟ ଇନିଂସରେ ଶତକ ଅର୍ଜନ ପରେ ଏମିତି ଉତ୍ସବ ପାଳନ କରି ନ ଥିଲେ। ଏହା ପୂର୍ବରୁ ପନ୍ତ ଆଇପିଏଲ୍ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ବିପକ୍ଷରେ ଶତକ ହାସଲ ପରେ କଳାବାଜି ପ୍ରଦର୍ଶନ କରିଥିଲେ। ଏବେ ପନ୍ତଙ୍କ ଚିକିତ୍ସା କରିଥିବା ଡ. ଦିନଶା ପାରଦିଓ୍ବାଲା ଏହି ଓ୍ଵିକେଟ୍ କିପର ବ୍ୟାଟରଙ୍କୁ ଚେତାବନୀ ଦେଇଛନ୍ତି।
ପାରଦିଓ୍ଵାଲା କହିଛନ୍ତି, ପନ୍ତଙ୍କୁ ଏମିତି ସେଲିବ୍ରେସନ କରିବା ଆବଶ୍ୟକତା ନୁହେଁ। କାରଣ ଏହି ଧରଣର ଗତିବିଧି କଲେ ଆଣ୍ଠୁ ଓ ଅଣ୍ଟାରେ ବହୁତ ଚାପ ପଡ଼ିଥାଏ। ଯଦି ଏମିତି ବାରମ୍ବାର କରାଯାଏ ତେବେ ଦୁର୍ବଳ ଜଏଣ୍ଟରେ ପୁଣି ଥରେ ଆଘାତ ଲାଗିପାରେ। ଏମିତି କଳା କୌଶଳରୁ ଛୋଟ ତ୍ରୁଟି ସବୁ କିଛି ବିଗାଡ଼ିପାରେ।
କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ପରେ ଦୀର୍ଘ ସମୟ ଧରି ପେଶାଦାର କ୍ରିକେଟ୍ର ଠୁ ଦୂରେଇ ରହିଥିଲେ। ୨୦୨୨ ଡିସେମ୍ବରରେ କାର ଦୁର୍ଘଟଣା ପରେ ପାରଦିଓ୍ବାଲା ପନ୍ତଙ୍କ ଆଣ୍ଠୁର ଲିଗାମେଣ୍ଟର ଅସ୍ତ୍ରୋପଚାର କରିଥିଲେ। ପାରଦିଓ୍ଵାଲା ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲ୍ରେ ଅସ୍ଥି ଶଲ୍ୟ ବିଭାଗର ସର୍ଜନ।
ଦିନଶା ପାରଦିଓ୍ଵାଲା ଦ ଟେଲିଗ୍ରାଫକୁ କହିଛନ୍ତି ଯେ, ଋଷଭ ପନ୍ତ ଛୋଟ ବେଳୁ ଜିନ୍ମାଷ୍ଟିକ ଶିଖିଛନ୍ତି। ତେଣୁ ତାଙ୍କ ଶରୀର ବେଶ ଫୂର୍ତ୍ତି ରହିଥାଏ। କଳାବାଜିକୁ ସେ ବେଶ ଭଲ ଭାବେ ଅଭ୍ୟାସ କରିଛନ୍ତି। କିନ୍ତୁ ସେଲିବ୍ରେସନ ପାଇଁ ଏମିତି କରିବା ଆଦୌ ଉଚିତ୍ ନୁହେଁ। ପନ୍ତ ବହୁତ ଭାଗ୍ୟଶାଳୀ ଯେ, ସେ ଦୁର୍ଘଟଣାରେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କାରଣ ଏହି ଧରଣର ଦୁର୍ଘଟଣାରେ ମୃତ୍ୟୁ ଆଶଙ୍କା ବହୁତ ଅଧିକ ଥାଏ।