ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ ପରେ ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିଥିଲେ । ଏହା ପରଠୁ ଭାରତୀୟ ଦଳ ୧୧ଟି ଟେଷ୍ଟ ଖେଳି ସାରିଛି । ଆଉ ଏଥିରୁ ଦଳ ଜିତିଛି ମାତ୍ର ୩ଟି ଟେଷ୍ଟ । ଗମ୍ଭୀର କୋଚ୍ ହେବା ପରଠୁ ଭାରତୀୟ ଦଳର ଟେଷ୍ଟ ରେକର୍ଡ ଅତି ଶୋଚନୀୟ ରହିଛି । କାରଣ ଦଳ ଗତ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ବି ପହଞ୍ଚି ପାରିନି । ଏବେ ନୂତନ ଚକ୍ରର ଆରମ୍ଭ ଶୋଚନୀୟ ପରାଜୟରୁ ଆରମ୍ଭ ହୋଇଛି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହାରିଛି ଭାରତ ।
ଇାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସହିତ ଭାରତ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଦାୟିତ୍ୱ ସମ୍ଭାଳିଥିଲେ । ବାଂଲାଦେଶ ବିପକ୍ଷ ଦୁଇଟି ମ୍ୟାଚ୍ ଭାରତ ଜିତିଥିଲା । କୋଚ୍ ଭାବେ ଗମ୍ଭୀରଙ୍କ ଆରମ୍ଭ ଦମଦାର ରହିଲା । ମାତ୍ର ଏହା ପରଠୁ ସବୁ କିଛି ଓଲଟ ପାଲଟ ହୋଇଗଲା । ଭାରତୀୟ ଦଳ ଲଗାତାର ହାରି ଚାଲିଛି । ପ୍ରଥମ ଦୁଇଟି ମ୍ୟାଚ୍ ଛାଡି ଦେଲେ ଭାରତ ଶେଷ ୯ଟି ମ୍ୟାଚରୁ ୭ଟି ହାରିଛି । ଗୋଟିଏ ମ୍ୟାଚ୍ ଦଳ ଜିତିଥିବା ବେଳେ ଗୋଟିଏ ଡ୍ର ରହିଛି । ଏହି ସମୟରେ ଦଳରେ ଅନେକ ବରିଷ୍ଠ ଖେଳାଳି ଥିଲେ । ମାତ୍ର ଏବେ ଦଳ ଯୁବ ଅଛି ।
ଗମ୍ଭୀରଙ୍କ ହେଡ୍ କୋଚ୍ ସମୟରେ ଭାରତୀୟ ଦଳ ବହୁତ କିଛି ସହିଛି । ଦଳ ପ୍ରଥମ ଥର ଘରୋଇ ମାଟିରେ ତିନି ମ୍ୟାଚର ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ହାତରୁ କ୍ଲିନ ସୁଇପ ପରାଜୟ ଭୋଗିଛି । ଏହା ପରେ ପ୍ରାୟ ଏକ ଦଶନ୍ଧି ପରେ ଭାରତଠୁ ବର୍ଡର-ଗାଭାସ୍କର ଟ୍ରଫି ଛଡାଇ ନେଇଛି ଅଷ୍ଟ୍ରେଲିଆ । ଭାରତ ଅଷ୍ଟ୍ରେଲିଆ ଗସ୍ତରେ ୧-୩ରେ ସିରିଜ୍ ହାରିଛି । ହେଲେ ଇଂଲଣ୍ଡ ଗସ୍ତର ପ୍ରଥମ ମ୍ୟାଚରେ ୫ ଖେଳାଳି ଶତକ ହାସଲ କରିବା ପରେ ବି ଦଳ ଶୋଚନୀୟ ଭାବେ ମ୍ୟାଚ୍ ହାରିଛି । ତେଣୁ ଗମ୍ଭୀରଙ୍କ କୋଚିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ । ଯଦି ଦଳ ଜିତିଲେ ଏହାର ଶ୍ରେୟ ଗୌତମ ଗମ୍ଭୀରଙ୍କୁ ଦିଆଯାଉଛି ତେବେ ଦଳର ପରାଜୟର କାରଣ ମଧ୍ୟ ତାଙ୍କୁ ପଚରାଯିବା ଉଚିତ୍ ।