ଲିଡ୍ସ: ଲିଡ୍ସ ଟେଷ୍ଟର ଉଭୟ ଇନିଂସରେ ଭାରତୀୟ ଦଳର ଟେଲଏଣ୍ଡର୍ସ ଅର୍ଥାତ ନିମ୍ନକ୍ରମର ବ୍ୟାଟର ଭାରତର ପାଇଁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । କେବଳ ଏହି ଟେଷ୍ଟ ନୁହେଁ ଅତୀତରେ ଏମିତି ଲଜ୍ଜାଜନକ ରେକର୍ଡ ରହିଛି ଯାହା ଭାରତର ନିମ୍ନକ୍ରମର ବ୍ୟାଟର କରିଛନ୍ତି । ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ଶେଷ ୬ ୱିକେଟ୍ ମାତ୍ର ୨୪ ରନ ଭିତରେ ହରାଇଛି । ପୁଣି ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ୩୧ ନରରେ ହରାଇଛି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ଭାରତର ଶେଷ ୫ ୱିକେଟ୍ ବହୁତ ସହଜରେ ହରାଇଥାଏ । ଆମେ ଏହା କହୁନୁ, ଦଳର ରେକର୍ଡ ହିଁ ଏହା କହୁଛି ।
୨୦୧୪ ପରଠୁ ରେକର୍ଡ ଉପରେ ନଜର ପକାଇଲେ ଭାରତର ଶେଷ ୫ ୱିକେଟ୍ ପାଇଁ ରନ ଭାଗିଦାରୀ ହାରାହାରି ୧୮.୯୩ ରହିଛି । ଏହି କ୍ଷେତ୍ରରେ ଭାରତ କେବଳ ଆଫଗାନିସ୍ତାନ ଓ ଜିମ୍ବାୱ ଉପରେ ରହିଛି । ଅନ୍ୟ ଦଳର ଶେଷ ୫ ୱିକେଟ୍ରେ ବ୍ୟାଟିଂ ହାର ଅଧିକ ରହିଛି । ଏପରିକି ୱେଷ୍ଟଇଣ୍ଡିଜ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଆୟରଲାଣ୍ଡ ପରି ଦଳର ହାରଠୁ ମଧ୍ୟ ଭାରତ କମ ଅଛି ।
ଆଣ୍ଡରସନ-ତେନ୍ଦୁଲକଟର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଭାରତର ସ୍କୋର ଥିଲା ୪୪୭/୬ । ହେଲେ ଦଳ ୪୭୧ ରନରେ ଅଲଆଉଟ୍ ହୋଇଥିଲା । ଦ୍ୱିତୀୟ ଇନିଂସରେ ବି ଏମିତି ଦେଖିବାକୁ ମିଲିଥିଲା । ଦଳର ସ୍କୋର ୩୩୩/୪ରେ ଥିଲା ଏବଂ ପୂରା ଦଳ ୩୬୩ ରନରେ ଅଲଆଉଟ୍ ହୋଇଥିଲା । ନିମ୍ନକ୍ରମ ବ୍ୟାଟରଙ୍କ ଏମିତି ପ୍ରଦର୍ଶନ ଭାରତୀୟ ଦଳ ଉପରେ ଭାରି ବି ପଡିପାରେ । କାରଣ ଇଂଲଣ୍ଡର ଶେଷ ୬ ୱିକେଟ୍ ଏହି ମ୍ୟାଚରେ ୨୪୦ ରନ ଯୋଡିଛନ୍ତି । ଏହି କାରଣରୁ ମ୍ୟାଚ୍ ପଞ୍ଚମ ଦିନକୁ ଚାଲି ଆସିଛି । ଇଂଲଣ୍ଡ ଆଗରେ ରହିଛି ୩୭୧ ରନର ବିଜୟ ଲକ୍ଷ୍ୟ । ଦଳ ୨୧ ରନ କରି ସାରିଥିବା ବେଳେ ମଙ୍ଗଳବାର ଶେଷ ଦିନରେ ଦରକାର ୩୫୦ ରନ ।