ନୂଆଦିଲ୍ଲୀ: ଲିଡ୍ସ ଟେଷ୍ଟରେ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ତାଙ୍କର ଏହି ନିଷ୍ପତ୍ତିକୁ ଇଂଲଣ୍ଡରେ ଖୁବ୍ ସମାଲୋଚନା କରାଯାଉଛି । ଲିଡ୍ସର ସୁନ୍ଦର ପଡିଆରେ ସୂର୍ଯ୍ୟକିରଣ ପଡିଥିଲା ଏବଂ ପିଚରେ ସେମିତି କିଛି ଅଧିକ ନ ଥିଲା । ତଥାପି ଷ୍ଟୋକ୍ସ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲେ । ଟିମ୍ ଇଣ୍ଡିଆ ଏହାର ଫାଇଦା ଉଠାଇ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୩୫୯ ରନ କରିଛି । ଯଶସ୍ୱୀ ଜୟସ୍ୱାଲ ଓ ଅଧିନାୟକ ଶୁଭମନ ଗିଲ୍ ଶତକ ଅର୍ଜନ କରିଛନ୍ତି । ଷ୍ଟୋକ୍ସଙ୍କ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତିକୁ ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ ସମାଲୋଚନା କରିଛନ୍ତି ।
ଭନ ଲିଡ୍ସ ଗ୍ରାଉଣ୍ଡକୁ ବେଶ ଭଲ ଭାବେ ଜାଣିଛନ୍ତି । ଏଠାରେ ସେ ୫୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ଏଥିରୁ ସେ ୪ଟି ମ୍ୟାଚ୍ ଇଂଲଣ୍ଡର ଅଧିନାୟକ ଭାବେ ଖେଳିଛନ୍ତି । ସେ କହିଛନ୍ତି ଷ୍ଟୋକ୍ସଙ୍କ ଟସ୍ ଜିତିବା ପରେ ନେଇଥିବା ନିଷ୍ପତ୍ତି ମୋତେ ଆଚମ୍ବିତ କରିଛି । ସୂର୍ଯ୍ୟକିରଣ ପଡୁଛି, ପାଗ ଶୁଖିଲା ରହିଛି । ଏମିତି ସ୍ଥିତିରେ ଆପଣଙ୍କୁ ପ୍ରଥମେ ବ୍ୟାଟିଂ କରିବା ଉଚିତ୍ । କିନ୍ତୁ ସେ ବୋଲିଂ ନିଷ୍ପତ୍ତି ନେଇ ମସ୍ତବଡ ଭୁଲ୍ କରିଛନ୍ତି ।
୨୦୨୨ରେ ଷ୍ଟୋକ୍ସ ଅଧିନାୟକ ହେବା ପରଠୁ ଇଂଲଣ୍ଡର ପ୍ରଥମେ ଫିଲ୍ଡିଂ କରିବାର ରଣନୀତି ଏକ ଚିରାଚରିତ ପାର୍ଟନରେ ବଦଳି ଯାଇଛି । ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଘରୋଇ ମାଟିରେ ୯ଟି ଟେଷ୍ଟରେ ଟସ୍ ଜିତିଛି । ଏଥିରୁ ଷ୍ଟୋକ୍ସ ଆଠ ଥର ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଏଥିରୁ ଦଳ ୬ଟି ମ୍ୟାଚ୍ ଜିତିଛି ।
ଭନ କହିଛନ୍ତି, ଆପଣଙ୍କୁ ପାଣିପାଗ ଏବଂ ପିଚର ସ୍ଥିତି ଦେଖି ନିଷ୍ପତ୍ତି ନେବାର ଅଛି । ନା ଆପଣ ବର୍ଷ ବର୍ଷ ଧରିରେ ଯେଉଁ କାର୍ଯ୍ୟ କରିଛନ୍ତି ତାକୁ ଦେଖି ଏମିତି ନିଷ୍ପତ୍ତି ନେଉଛନ୍ତି । କିନ୍ତୁ ତାର ପ୍ରଭାବ ତ ବର୍ତ୍ତମାନ ମ୍ୟାଚ୍ ଉପରେ ପଡିବ ନାହିଁ । ଇଂଲଣ୍ଡର ଶକ୍ତି ହେଉଛି ତାର ବ୍ୟାଟିଂ । ବୋଲିଂ ବର୍ତ୍ତମାନ ଦୁର୍ବଳ ରହିଛି । ବୋଲିଂ ବିଭାଗରେ ଅନୁଭବର ଅଭାବ ରହିଛି । ତେଣୁ ଟସ୍ ଜିତି ପ୍ରଥମ ଟେଷ୍ଟରେ ଷ୍ଟୋକ୍ସକୁ ପ୍ରଥମେ ବ୍ୟାଟିଂ କରିବାର ଥିଲା ।