ନୂଆଦିଲ୍ଲୀ: ଜିତିଲା ପାକିସ୍ତାନ ହେଲେ ଦଳ ଟୁର୍ଣ୍ଣାମେଣ୍ଟ ହାରି ଯାଇଛି । ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୫ ରନରେ ହରାଇଛି । ହେଲେ ବିଜୟ ପରେ ବି ପାକିସ୍ତାନ ଚଳିତ ଟି-୨୦ ବିଶ୍ୱକପରୁ ବାଦ୍ ପଡିଛି । ଗ୍ରୁପ ବିରୁ ଦ୍ୱିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିଛି । ଶ୍ରୀଲଙ୍କା ହାରିବା ସହ ପାକିସ୍ତାନକୁ ସେମିରେ ପହଞ୍ଚିବାକୁ ଦେଇନି । ପାକିସ୍ତାନ ୨୧୨ ରନ କରିଥିଲେ ହେଁ ଶ୍ରୀଲଙ୍କାକୁ ୧୪୭ ରନ ଭିତରେ ସୀମିତ ରଖିବାର ଥିଲା । ହେଲେ ଶ୍ରୀଲଙ୍କା ବ୍ୟାଟର ଲଢୁଆ ପ୍ରଦର୍ଶନ କରି ୨୦୫ ରନ କରି ପାକିସ୍ତାନର ସେମି ଖେଳିବା ସ୍ୱପ୍ନ ଧୂଳିସାତ କରିଛନ୍ତି ।
ସେମି ଫାଇନାଲ୍ ଯିବାକୁ ହେଲେ ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ୬୫ ରନ ବିଜୟ ଆବଶ୍ୟକ ଥିଲା । ହେଲେ ଦଳ ୬୫ ରନ ରୋକିବା ତ ଦୂରର କଥା ଅତି କଷ୍ଟରେ ମ୍ୟାଚ୍ ଜିତିବାରେ ସଫଳ ହୋଇଛି ପାକିସ୍ତାନ । ୨୧୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଦାସୁନ ଶନାକା ୩୧ ବଲରୁ ୨ ଚୌକା ଓ ୮ ଛକା ସହ ୭୬ ରନ କରି ଶେଷ ପର୍ଯ୍ୟନ୍ତ ଲଢିଥିଲେ । ତାଙ୍କର ଏହି ଇନିଂସ ବଳରେ ଶ୍ରୀଲଙ୍କା ବିଜୟର ନିକଟତର ପହଞ୍ଚି ପାରିଥିଲା । ମଧ୍ୟକ୍ରମରେ ପାଭନ ରଥନାୟକେ ୫୮ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଅନ୍ୟ ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରି ପାରି ନ ଥିଲେ । ଫଳରେ ଶ୍ରୀଲଙ୍କା ମାତ୍ର ୫ ରନରୁ ବିଜୟଠୁ ଦୂରରେ ରହି ଯାଇଥିଲା ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନକୁ ଦୁଇ ଓପନର ସାହିବଜାଦା ଫରହାନ ଓ ଫଖର ଜମାନ ଅବିଶ୍ୱସନୀୟ ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ଚାପରେ ରଖିଥିଲେ । ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରା କରିଥିଲେ । ୧୫.୫ ଓଭରରେ ଦୁଇ ଓପନର ୧୭୬ ରନ ଯୋଡିଥିଲେ । ହେଲେ ଦୁଇ ବ୍ୟାଟର ଆଉଟ୍ ହେବା ପରେ ଦଳର ରନ ଗତି ଧିମେଇ ଯାଇଥିଲା । ଫଖର ଜମାନ ୪୨ ବଲରୁ ୯ ଚୌକା ଓ ୪ ଛକା ସହ ୮୪ ରନ କରିଥିଲେ ।
ସାହିବଜାଦା ଫରହାନ ଦୁନିଆର ପ୍ରଥମ ବ୍ୟାଟର ଭାବେ ଟି୨୦ ବିଶ୍ୱକପ ଇତିହାସର ଗୋଟିଏ ସଂସ୍କରଣରେ ଦ୍ୱିତୀୟ ଶତକ ହାସଲ କରିଥିଲେ । ସେ ୬୦ ବଲରୁ ୯ ଚୌକା ଓ ୫ ଛକା ସହ ୧୦୦ ରନ କରିଥିଲେ । ଏହା ପରେ ଅନ୍ୟ କୌଣିସ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଫଳରେ ପାକିସ୍ତାନ୮ ୱିକେଟ୍ ହରାଇ ୨୧୨ ରନ କରି ପାରିଥିଲା ।