ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ତେହେରାନରେ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ତାଙ୍କ ଅନ୍ତିମ ସଂସ୍କାର ପାଇଁ ଖୁବ୍ ଶୀଘ୍ର ଏକ ନୂତନ ତାରିଖ ଘୋଷଣା କରାଯିବ। ଇରାନର ତସନିମ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଖାମେନିଙ୍କୁ ତାଙ୍କ ଇଚ୍ଛା ଅନୁଯାୟୀ ଇରାନର ମାଶାଦ ସହରଠାରେ କବର ଦିଆଯିବ। ସେ ସମ୍ପ୍ରତି ଇସ୍ରାଏଲୀ ଏବଂ ଆମେରିକୀୟ ବିମାନ ଆକ୍ରମଣରେ ପ୍ରାଣ ହରାଇଥିଲେ।
ବୁଧବାର ଇରାନୀ ଟେଲିଭିଜନ ରିପୋର୍ଟ ଅନୁଯାୟୀ, ସହିଦ ଇମାମଙ୍କ ଅନ୍ତିମ ସଂସ୍କାର ଉତ୍ସବକୁ ସ୍ଥଗିତ ରଖାଯାଇଛି ଏବଂ ପରେ ଏକ ନୂତନ ତାରିଖ ଘୋଷଣା କରାଯିବ। ଅନ୍ତିମ ସଂସ୍କାର ଆୟୋଜନ କରୁଥିବା ସଂଗଠନ ତେହେରାନର ଇସଲାମିକ୍ ବିକାଶ ସମନ୍ୱୟ ପରିଷଦର ମୁଖ୍ୟ ମୋହସେନ୍ ମହମୁଦ ଗଣମାଧ୍ୟମକୁ କହିଛନ୍ତି ଯେ ଏହାର ଏକ ପ୍ରମୁଖ କାରଣ ହେଉଛି ଲକ୍ଷ ଲକ୍ଷ ଲୋକଙ୍କ ଯୋଗଦାନର ସମ୍ଭାବନା। ତେଣୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି।
ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିବାର ଆଶା କରାଯାଉଛି। ଆଉ ଶୋକସଭା ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି। ୧୯୮୯ ମସିହାରେ, ପ୍ରାୟ ୧୦ ନିୟୁତ ଲୋକ ଆୟାତୋଲ୍ଲା ରୁହୋଲ୍ଲା ଖୋମେନିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।
ଇରାନର ଇସଲାମିକ୍ ପ୍ରଚାର ପରିଷଦର ମୁଖ୍ୟ ହୋଜ୍ଜାତୋଲେସଲାମ୍ ମହମୁଦ ପୂର୍ବରୁ କହିଥିଲେ ଯେ ବିଦାୟ ସମାରୋହ ରାତି ୧୦ଟାରେ ତେହେରାନର ଇମାମ୍ ଖୋମେନି ପ୍ରାର୍ଥନା ଗୃହରେ ଆରମ୍ଭ ହେବ।ଏ ଏହା ତିନି ଦିନ ପର୍ଯ୍ୟନ୍ତ ଚାଲିବ। ମହମୁଦ କହିଛନ୍ତି ଯେ ପ୍ରାର୍ଥନା ଗୃହ ପରିଦର୍ଶକଙ୍କ ପାଇଁ ଖୋଲା ରହିବ ଏବଂ ପ୍ରିୟଜନମାନେ ବିଦାୟ ସମାରୋହରେ ଯୋଗ ଦେଇପାରିବେ।
ଖାମେନିଙ୍କ ଶନିବାର ୮୬ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ସେ ୧୯୮୯ ମସିହାରୁ ଇରାନର ସର୍ବୋଚ୍ଚ ନେତା ଥିଲେ। ସେ ଶାହ-ପରବର୍ତ୍ତୀ ଇରାନର ପ୍ରତିଷ୍ଠାତା ଖୋମେନିଙ୍କ ପରେ ଶାସନ କରିଥିଲେ, ଯିଏ ଦେଶର ୧୯୭୯ ବିପ୍ଳବର ନେତୃତ୍ୱ ନେଇଥିଲେ।