ପୁରୀ: ଚଳିତବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ କୋଠଭୋଗ ପ୍ରସ୍ତୁତ ନେଇ ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ । ଚଳିତବର୍ଷ ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ କୋଠଭୋଗ ପ୍ରସ୍ତୁତ ହେବା ନେଇ ନିଷ୍ପତ୍ତି ହୋଇଛି । ଆଡ଼ପ ମଣ୍ଡପରେ ପ୍ରାୟ ୫ ଦିନ ଅନ୍ନ ମହାପ୍ରସାଦ ଲାଗିହେବ । ପ୍ରତ୍ୟେକ ଦିନ କୋଠଭୋଗ ପାଇଁ ଅନ୍ନ ଓ ବିଭିନ୍ନ ପିଠା ପ୍ରସ୍ତୁତ କରିବାକୁ ପ୍ରାୟ ୮୦ କିଲୋ ଚାଉଳ ବ୍ୟବହାର ହୁଏ । କୋରାପୁଟର ପ୍ରଗତି ସଂସ୍ଥା ଏଥିପାଇଁ ଜୈବିକ ଚାଉଳର ୬ଟି ନମୁନା ପଠାଇଥିଲା । ଏସବୁ ହେଲା ବାସୁଭୋଗ, କଳାଜିରା, ମଲ୍ଲୀ, ବାସନ୍ତୀ ଚୁଡ଼ି, ହଳଦୀ ଚୁଡ଼ି ଓ ବିରୋଧାନ । କଳାଜିରାକୁ କୋଠଭୋଗ ମହାପ୍ରସାଦ ପାଇଁ ବ୍ୟବହାର କରିବା ଲାଗି ନିଷ୍ପତ୍ତି ହୋଇଛି ।
ଆଗକୁ ଭୋଗ ମଣ୍ଡପରେ ମଧ୍ୟ ଜୈବିକ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ମହାପ୍ରଭୁଙ୍କୁ ଲାଗିହେବ । ୫୦ ବର୍ଷ ତଳେ ଏହି ବ୍ୟବସ୍ଥା ଥିଲା । ରସାୟନମୁକ୍ତ ଚାଉଳ, ଡାଲି ଓ ପନିପରିବାରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା । ୫୦ ବର୍ଷ ପରେ ପୁଣି ସେହି ବ୍ୟବସ୍ଥା ଫେରିବ । ସୁଲଭ ଦରରେ ଭକ୍ତ ଏହା ପାଇବେ । ସରକାରଙ୍କ ପକ୍ଷରୁ ଆସିଥିବା ଏହି ପ୍ରସ୍ତାବ ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀମାନଙ୍କ ପାଇଁ ସହାୟକ ହେବ । ରସାୟନମୁକ୍ତ ଚାଉଳ ଓ ପନିପରିବା ସ୍ବାସ୍ଥ୍ୟ ପାଇଁ ଭଲ ।
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, " କୋରାପୁଟରୁ କିଛି ଚାଉଳ ଆମକୁ ସାମ୍ପଲ ଆସିଛି । କିଛି ଚାଉଳ ହେଉଛି କଳାଜିରା,ବାସନ୍ତିଚୁଡି, ବାସୁଭୋଗ, ମଲ୍ଲୀ ବିରିଧାନ, ହଳଦୀଚୁଇ । କଳାଜିରାରେ ଆଡପ ମଣ୍ଡପରେ କୋଠଭୋଗ ତିଆରି ହେବାକୁ ନିଷ୍ପତ୍ତି ହୋଇଛି । ପିଠା ପଣା ବି ଏହି ଜୈବିକ ଚାଉଳରେ ପ୍ରସ୍ତୁତ ହେବ । ଖେଚୁଡି ଭୋଗ ମଧ୍ୟ ଜୈବିକ ଚାଉଳରେ ହେବ । ପ୍ରଥମ ଥର ପାଇଁ ଏପରି ହେବ । ଆଡପ ମଣ୍ଡପରେ ଅମୃତ ଅନ୍ନର ଭୋଗ ପାଇଁ ଆମେ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ଜୈବିକ ଚାଉଳରେ ଭକ୍ତଙ୍କ ପାଇଁ ପ୍ରସାଦ ହେବ । ସିମିତ ଭକ୍ତଙ୍କ ପାଇଁ ପ୍ରଥମ ଥର ତିଆରି ହେବ । ୫ଦିନ ପାଇଁ ଏହି ଚାଉଳରେ ଭୋଗ ପ୍ରସ୍ତୁତ ହେବ । କୋରାପୁଟରୁ କିଛି ପରିବାର ମଧ୍ୟ ଆଣାଯିବ । କୋଠଭୋଗ ପାଇଁ ଜିନିଷ ଅଛି । ୮୦ରୁ କ୍ବିଣ୍ଟାଲ ପର୍ଯ୍ୟନ୍ତ ପ୍ରତିଦିନ କୋଠଭୋଗରେ ଲାଗେ । ୨୮ ତାରିଖ ସୁଦ୍ଧା କୋରାପୁଟରୁ ସମସ୍ତ ଚାଉଳ ଆସିବ ବୋଲି କହିଛନ୍ତି । "