ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ପାଇଁ ଭାରତ ଅନେକ ବିମାନ କମ୍ପାନୀ ଉଡ଼ାଣ ବାତିଲ କରିଛନ୍ତି । ଇଣ୍ଡିଗୋ ମଧ୍ୟ ମଧ୍ୟପ୍ରାଚ୍ୟରୁ ବିଭିନ୍ନ ସ୍ଥାନକୁ ବିମାନ ଉଡ଼ାଣ ବାତିଲ କରିଛି । ଫଳରେ ଭୁବନେଶ୍ୱରରୁ ଆବୁଧାବିକୁ ଆରମ୍ଭ ହୋଇଥିବା ସିଧାସଳଖ ବିମାନ ସେବା ସ୍ଥଗିତ ରହିଛି । ଏ ନେଇ ଇଣ୍ଡିଗୋ ପକ୍ଷରୁ ସୂଚନା ଜାରି ହୋଇଛି ।
ଇଣ୍ଡିଗୋ କମ୍ପାନୀ କହିଛି, ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁବାଇ, ଦୋହା, ବାହାରିନ, ଦମ୍ମାମ, ଆବୁଧାବି, କୁଏତ, ମଦିନା, ଫୁଜେରିହା, ଜେଦାହ, ମସ୍କଟ, ଶର୍ଜାହା, ରିୟାଦ, ରାସ୍ ଅଲ୍ ଖାମିହା ଏବଂ ଟିବଲିସିକୁ ବିମାନ ଚଳାଚଳ ସ୍ଥଗିତ କରାଯାଇଛି । ଆଜିଠାରୁ ୧୦୦୦ ଘଣ୍ଟା ପର୍ଯ୍ୟନ୍ତ ବିମାନ ସେବା ସ୍ଥଗିତ ଘୋଷଣା କରାଯାଇଛି। ତେବେ ପରବର୍ତ୍ତୀ ସମୟରେ ଏହା ଚଳାଚଳ କରିବା ନେଇ ଘୋଷଣା କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଛି।
ଏଭଳି ଅସୁବିଧା ଜନକ ପରିସ୍ଥିତି ପାଇଁ ଇଣ୍ଡିଗୋ କ୍ଷମା ପ୍ରାର୍ଥନା ମଧ୍ୟ କରିଛି । ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଇଣ୍ଡିଗୋ କହିଛି । ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ଜରିଆରେ ତଥ୍ୟ ପ୍ରଦାନ କରାଯିବ । ସୁରକ୍ଷିତ ବିମାନ କରିଡର ଉପଲବ୍ଧ ହେବା ମାତ୍ରେ ପୁନର୍ବାର ସେବା ଆରମ୍ଭ କରାଯିବ ବୋଲି ଇଣ୍ଡିଗୋ କହିଛି ।
ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିମାନ ସେବା ସ୍ଥଗିତ ରଖିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଆବୁଧାବୀକୁ ସିଧାସଳକ ବିମାନ ସେବାର ଶୁଭାରମ୍ଭ କରିଥିଲେ ।