ଲିଡ୍ସ: ପାଞ୍ଚ ଜଣ ବ୍ୟାଟର ଶତକ ହାସଲ କରି ବି ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ପରାଜୟ ଭୋଗିଛି ଭାରତ । ଇଂଲଣ୍ଡ ହାତରୁ ପରାଜୟ ଭୋଗି ନିଜ ନାଁରେ ଅଲୋଡା ରେକର୍ଡ କରିଛି ଭାରତ । ବେନ ଟକେଟଙ୍କ ୧୪୯ ରନର ଧମାକାଦାର ଇନିଂସ ବଳରେ ଭାରତ ଦ୍ୱାରା ଧାର୍ଯ୍ୟ ୩୭୧ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୫ ୱିକେଟ୍ ହରାଇ ସହଜରେ ଲକ୍ଷ୍ୟ ହାସଲ କରି ନେଇଛି । ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି । କେବଳ ଏତିକି ନୁହେଁ ପଞ୍ଚମ ଦିନରେ ଭାରତ ୩୫୦ ରନ ଦେଇ ମ୍ୟାଚକୁ ଇଂଲଣ୍ଡ ହାତରେ ଟେକି ଦେଇଛି ।
୭୭ ବର୍ଷ ପରେ କୌଣସି ଦଳ ହେଡିଂଲି ଗ୍ରାଉଣ୍ଡରେ ଏତେ ବଡ଼ ରନ ପିଛା କରିଛି। ପୂର୍ବରୁ ୧୯୪୮ ମସିହାରେ ଏହି ଗ୍ରାଉଣ୍ଡରେ ୪୦୪ ରନର ଟାର୍ଗେଟ ପିଛା କରାଯାଇଥିଲା। ଏହା ପରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ସେବେଠାରୁ ଏହି ଗ୍ରାଉଣ୍ଡରେ ଏତେ ବଡ଼ ଟାର୍ଗେଟ କୌଣସି ଦଳ କେବେ ପିଛା କରି ନଥିଲେ ।ବର୍ତ୍ତମାନ ଇଂଲଣ୍ଡ ହେଡିଂଲିରେ ଦ୍ୱିତୀୟ ସବୁଠାରୁ ବଡ଼ ରନ ପିଛାଚ କରିବାର ରେକର୍ଡ କରିଛି । ଏହା ପୂର୍ବରୁ ୨୦୧୯ ମସିହାରେ ଇଂଲଣ୍ଡ ହେଡିଂଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୬୨ ରନର ଟାର୍ଗେଟ ପିଛା କରିଥିଲା। ମୋଟାମୋଟି ଭାବରେ, ଏହି ଗ୍ରାଉଣ୍ଡରେ ପଞ୍ଚମ ଥର ୩୦୦ ରନରୁ ଅଧିକ ରନର ଟାର୍ଗେଟ ପିଛା କରାଯାଇଛି।
ଏହି ଟେଷ୍ଟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୭୧ ରନ୍ କରିଥିଲା। ଭାରତ ପାଇଁ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସ୍ୱାଲ ୧୦୧ ରନ, ଶୁଭମନ ଗିଲ୍ ୧୪୭ ଏବଂ ଋଷଭ ପନ୍ତ ୧୩୪ ରନ୍ କରିଥିଲେ। ଏହା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୬୫ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଓଲି ପୋପ୍ ୧୦୬ ଏବଂ ହ୍ୟାରି ବ୍ରୁକ୍ ୯୯ ରନ୍ କରିଥିଲେ। ଏହା ପରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୩୬୪ ରନ୍ କରିଥିଲା ଏବଂ ଇଂଲଣ୍ଡକୁ ୩୭୧ ରନ୍ର ଟାର୍ଗେଟ ଦେଇଥିଲା। ଭାରତ ପାଇଁ କେଏଲ୍ ରାହୁଲ ୧୩୭ ଏବଂ ଋଷଭ ପନ୍ତ ୧୧୮ ରନ୍ କରିଥିଲେ। ଉଭୟ ଇନିଂସ୍ରେ ପନ୍ତ ଶତକ ହାସଲ କରି ଇତିହାସ ରଚିଥିଲେ।
୩୭୧ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡର ବ୍ୟାଟର ସହଜରେ ହାସଲ କରିଥିଲେ। ଇଂଲଣ୍ଡ ପାଇଁ ବେନ୍ ଡକେଟ ୧୪୯ ରନର ମ୍ୟଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ ଜ୍ୟାକ୍ କ୍ରାଉଲି ୬୫ ଏବଂ ଜୋ ରୁଟ୍ ଅପରାଜିତ ୫୩ ରନ୍ କରିଥିଲେ। ୱିକେଟ୍କିପର ବ୍ୟାଟ୍ସମ୍ୟାନ୍ ଜେମି ସ୍ମିଥ୍ ୪୪ ରନ୍ରେ ଅପରାଜିତ ରହିଥିଲେ। ପ୍ରଥମ ଥର ଭାରତର ୫ ବ୍ୟାଟର ଶତକ ହାସଲ କରିବା ପରେ ବି ଦଳ ପରାଜିତ ହୋଇଛି ।