ମହାରାଷ୍ଟ: ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଝିଅକୁ ପିଟିପିଟି ହତ୍ୟା କଲା ବାପା। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା। ଏଠାରେ ଜଣେ ସ୍କୁଲ ଶିକ୍ଷକ ତାଙ୍କ ୧୬ ବର୍ଷୀୟ ଝିଅକୁ କମ୍ ନମ୍ବର ପାଇଁ ପିଟି ପିଟି ହତ୍ୟା କରିଛନ୍ତି।
ପୋଲିସର କହିବାନୁଯାୟୀ ଶନିବାର ରାତିରେ ଆଟପାଡି ତାଲୁକର ନେଲକରଞ୍ଜି ଗାଁରେ ଏହି ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ୪୫ ବର୍ଷିୟ ଅଭିଯୁକ୍ତ ଧୋଣ୍ଡିରାମ ଭୋସଲେ, ତାଙ୍କ ଝିଅ ସାଧନା ଉପରେ ରାଗିଯାଇ ଏଭଳି କାଣ୍ଡ ଘଟାଇଛନ୍ତି। ତାଙ୍କ ଝିଅ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲେ। ତେବେ ସେ ନିଟ୍ ପରୀକ୍ଷାରେ କମ୍ ମାର୍କ ପାଇଥିବାରୁ ବାପା ରାଗିଯାଇଥିଲେ। ପରୀକ୍ଷାରେ କମ୍ ନମ୍ବର ପାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ତେବେ ଯୁକ୍ତିତର୍କ ବେଳେ ବାପା ରାଗିଯାଇ କାଠରେ ପିଟିବାରୁ ଝିଅଟି ଗୁରୁତର ହୋଇଥିଲା। ତେବେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ସେପଟେ ଘଟଣାକୁ ନେଇ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ବାପାକୁ ଗିରଫ କରିଛି। ଘଟଣାବେଳେ ମା’ଓ ପୁଅ ସେଠାରେ ଉପସ୍ଥିତ ଥିଲେ। ସେମାନଙ୍କ ସାମ୍ନାରେ ବାପା ରାଗରେ ଜର୍ଜରିତ ହୋଇ ଝିଅକୁ କାଠ ଫାଳିଆରେ ପିଟିଥିବା ଅଭିଯୋଗ ହୋଇଛି।