ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବର୍ଜନ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି । “ରଥଯାତ୍ରା”ରୁ “ବାହୁଡ଼ା ଯାତ୍ରା” ପର୍ଯ୍ୟନ୍ତ ପରିବେଶର ପ୍ରଦୂଷଣକୁ ରୋକିବାକୁ ମାତ୍ର ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଯଥା ଗ୍ଲାସ୍, ପଲିଥିନ ଓ ବୋତଲ ଆଦିକୁ ବ୍ୟବହାର ନ କରିବାକୁ କେନ୍ଦ୍ରମନ୍ତ୍ରୀ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଛନ୍ତି ।
ସଚେତନତା ବାର୍ତ୍ତାରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଆଗକୁ ରଥଯାତ୍ରା ଆସୁଛି । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ଅବସର ହେଉଛି ରଥଯାତ୍ରା । ଚତୁର୍ଦ୍ଧାମୂରତିଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ପୁରୀ ଆସିବେ । ବିଶେଷ ଭାବରେ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଜନସାଧାରଣ ଓ ପର୍ଯ୍ୟଟକମାନେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ଅଧିକ ବ୍ୟବହାର କରିଥାନ୍ତି । ଭକ୍ତମାନେ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋଟଲ, ପାଣି ଗ୍ଲାସ ଏବଂ ଖାଦ୍ୟ ସାମଗ୍ରୀ ନେବା ପାଇଁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଆଦିର ବ୍ୟବହାର କରିଥା’ନ୍ତି । ଏହା ଦ୍ୱାରା ପୁରୀ ବଡଦାଣ୍ଡ ଦୂଷିତ ହେବା ସହ ପ୍ରଦୂଷଣର ପ୍ରଭାବ ସ୍ଥାନୀୟ ପରିବେଶ ଉପରେ ପଡିଥାଏ । ଗୋ-ମାତା, ପଶୁ ପକ୍ଷୀ ଏହାର ପ୍ରତ୍ୟକ୍ଷ ଶୀକାର ହୁଅନ୍ତି । ସମୁଦ୍ର, ପୋଖରୀ, ନାଳ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଆଜି ପରିବେଶ ସୁରକ୍ଷା, ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି । ଯେତେବେଳେ “ଆମେ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା”ର କଳ୍ପନା କରୁଛେ, ସେହି ସମୟରେ ଏହା ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହେଉଛି । ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଜୀବନ ସୁରକ୍ଷା ଗାନ୍ଧୀଜୀଙ୍କ ପ୍ରମୁଖ ବିଷୟ ଥିଲା ।
ଏଥିପାଇଁ ପୁରୀରେ ଜୁନ ୨୭ ତାରିଖ “ରଥଯାତ୍ରା”ରୁ ଜୁଲାଇ ୫ “ବାହୁଡ଼ା ଯାତ୍ରା” ପର୍ଯ୍ୟନ୍ତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକକୁ ବର୍ଜନ କରିବାକୁ ସେ କହିଛନ୍ତି । ସେହିପରି ପୁରୀକୁ ଆସୁଥିବା ଜନସାଧାରଣ ତଥା ଭକ୍ତମାନଙ୍କ ମଧ୍ୟରେ ଏଥିପ୍ରତି ସଚେତନତା ତିଆରି କରିବା । ଭକ୍ତିଭାବ ଓ ନିଷ୍ଠା ସହକାରେ ପୁରୀର ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହି ପ୍ରୟାସ ଆଗାମୀ ପିଢିର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ଏକ ବଡ଼ ଓ ପ୍ରଭାବଶାଳୀ ପଦକ୍ଷେପ ହେବ ।