ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ାରେ ବେଆଇନ ଖଣି ଉତ୍ତୋଳନ ଘଟଣାର ତଦନ୍ତ ପାଇଁ ପହଁଚିଛି ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ଏସ୍ଆଇଟି ଟିମ୍ । ଭିଜିଲାନ୍ସର ୧୦ ଜଣିଆ ଟିମ୍ ସରଜମିନ୍ ତଦନ୍ତ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଛି ।
କୋଇଡ଼ାରେ ମାଙ୍ଗାନିଜ ଖଣି ଲୁଟ ମାମଲାରେ ତଦନ୍ତ ଚାଲିଛି । ୧୦ ଜଣିଆ ଟିମ୍ ସହିତ ଖଣି ଉପ ନିର୍ଦ୍ଦେଶକ, ତହସିଲଦାର ଓ ରେଞ୍ଜର ଉପସ୍ଥିତ ଅଛନ୍ତି । କୋଇଡା ଖଣି ମଣ୍ଡଳର ମାଲଦା, ରୁଶିବେଣୁଆ, ଗିଡ଼େଇ, ମୁଟୁକୁଦର, ପାଟମୁଣ୍ଡା, କଳମଙ୍ଗ, ଗଣୁଆଁ ଅଞ୍ଚଳରେ ପହଞ୍ଚି ସରଜମିନ ତଦନ୍ତ କରୁଛନ୍ତି ଟିମ୍ ।
ଅନ୍ୟପକ୍ଷରେ କୋଇଲା ଖଣି ଚୋରି ମାମଲାର ଗୋପାଳପୁରରେ ମଧ୍ୟ ଭିଜିଲାନ୍ସ ଏସଆଇଟିର ତଦନ୍ତ କରୁଛି । ଗୋପାଳପୁର, ତେଲେନଡ଼ିହି, ରତନସରା, ଭୋଗରାକଚାରରେ ତଦନ୍ତ କରୁଛି ଏସ୍ଆଇଟି । ଏସଆଇଟି ଟିମ ସହିତ ରାଜ୍ୟ ଖଣି ବିଭାଗର ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ, ଜିଲ୍ଲା ଖଣି ବିଭାଗର ଅଧିକାରୀ, ସ୍ଥାନୀୟ ତହସିଲଦାର ଓ ଫରେଷ୍ଟ ରେଞ୍ଜ ଅଫିସର ପ୍ରମୁଖ ଅପସ୍ଥିତ ଅଛନ୍ତି ।
ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ଖବର ପ୍ରକାଶ ପାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ଖଣିଗୁଡ଼ିକ ମଧ୍ୟରୁ ଗୋପାଳପୁର ଗ୍ରାମରେ ୧୪ଟି ଖଣି, ରତ୍ନସୋରା ଗ୍ରାମରେ ୩ଟି ଏବଂ ଭୋଗରାକଚର ଗ୍ରାମରେ ୫ଟି ଅଛି । କୋଇଡା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା, ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆରେ ୫୦ଟି ବେଆଇନ ମାଙ୍ଗାନିଜ ଏବଂ ଲୌହ ଉତ୍ତୋଳନ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଥିଲା । ୫୦ଟି ଖଣି ମଧ୍ୟରୁ ପଟାବେଡା ଗ୍ରାମରେ ୧୬ଟି, ମାଲଦା ଗ୍ରାମରେ ୧୦ଟି, କୋଲମଙ୍ଗ ଗ୍ରାମରେ ୨୦ଟି ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୁସିବେଣୁଆ ଗ୍ରାମରେ ଅଛି । ଏସବୁ ଖଣି ଗୁଡ଼ିକରୁ ୨୦ ହଜାର ମେଟ୍ରିକ ଟନରୁ ଉର୍ଦ୍ଧ୍ୱ ମାଙ୍ଗାନିଜ ଓର ଏବଂ ୧୨୦୦ ମେଟ୍ରିକ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର ଆଇରନ ଓର ବେଆଇନ ଭାବେ ଉତ୍ତୋଳନ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ । ଏହି ଖବର ପ୍ରସାରଣ ପରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ।