ମୟୂରଭଞ୍ଜ: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଏକ ସ୍ଵତନ୍ତ୍ର ଭୂଖଣ୍ଡ । ଏଠାକାର କଳା, ସଂସ୍କୃତି, ପରମ୍ପରା ବେଶ ନିଆରା । ଓଡିଆ ସଂସ୍କୃତିରେ ବାର ମାସରେ ତେର ପର୍ବ ଭଳି ଏଠାରେ ମଧ୍ୟ ପାଳିତ ହୋଇଥାଏ ବିଭିନ୍ନ ରୁତୁରେ ବିଭିନ୍ନ ପର୍ବ ପର୍ବାଣି। ଏଥିମଧ୍ୟରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ର ରଥଯାତ୍ରା ଅନ୍ୟତମ। ଯାହାର ଇତିହାସର ଫର୍ଦ୍ଦ ଅନେକ ଲମ୍ବା ଓ କିମ୍ବଦନ୍ତୀ ମଧ୍ୟ ବେଶ ନିଆରା। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ପରମ୍ପରା ।
୧୫୭୫ ମସିହାରେ ତତ୍କାଳୀନ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଦେଓଙ୍କ ଦ୍ବାରା ବାରିପଦା ଠାରେ ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ସହ ଚତୁର୍ଦ୍ଧା ମୁରତି ସହ ପାର୍ଶ୍ଵ ଦେବାଦେବୀ ମନ୍ଦିର ମଧ୍ୟ ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ଅବିଚ୍ଛିନ୍ନ ଭାବରେ ରୀତିନୀତି ଅନୁଯାୟୀ ଶ୍ରୀମନ୍ଦିର ମଧ୍ୟରେ ଚତୁର୍ଧା ମୁର୍ତ୍ତିଙ୍କୁ ରତ୍ନ ସିଂହାସନରେ ବସାଇ ସମସ୍ତ ନୀତିକାନ୍ତି ପୁର୍ବକ ପୁଜାର୍ଚ୍ଚନା କରାଯାଉଛି। ବାରିପଦାରେ ଦୀର୍ଘ ୪୫୦ ବର୍ଷ ହେଲାଣି ମହାପ୍ରଭୁ 'ଶ୍ରୀଶ୍ରୀ ହରିବଳଦେଵ ଜୀଉ' ଏଠାରେ ପୂଜା ପାଇ ଆସୁଥିବା ବେଳେ ପ୍ରତିବର୍ଷ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇ ଆସୁଅଛି।
ଶ୍ରୀକ୍ଷେତ୍ର ପୁରୀ ପରେ ବାରିପଦାରେ ଜଗନ୍ନାଥ ମନ୍ଦିରରେ ସମସ୍ତ ନିତିକାନ୍ତି ପାଳନ କରାଯାଉଥିବା କାରଣରୁ ଏହାକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଇଥିଲା । ଯାହା ଆଜିବି ପ୍ରଚଳିତ ରହିଛି । ହେଲେ ଶ୍ରୀକ୍ଷେତ୍ରକୁ ସମ୍ମାନ ଜଣାଇ ଏଠାରେ କିଛି ଭିନ୍ନ ରିତିନିତି ପାଳନ କରାଯାଏ । ଯେମିତି ପୁରୀରେ ଠାକୁରମାନେ ଧାଡି ପହଣ୍ଡିରେ ରଥାରୁଢ ହେଉଥିବା ବେଳେ ବାରିପଦାରେ ଗୋଟି ପହଣ୍ଡିରେ ରଥାରୁଢ ହୁଅନ୍ତି । ଏଠାକାର ତିନିରଥର ଉଚ୍ଚତା ପୁରୀ ଠାରୁ ଅଳ୍ପ କମ ରଖାଯାଇଛି । ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦିନ ଏଠାରେ କେବଳ ପହଣ୍ଡି ହୋଇ ଶ୍ରୀବିଗ୍ରହ ରଥାରୂଢ ହୋଇଥାନ୍ତି । ତହିଁ ପର ଦୁଇ ଦିନଧରି ରଥ ଟଣାଯିବା ଓ ବାହୁଡାରେ ମଧ୍ୟ ଦୁଇଦିନ ଧରି ରଥ ଟଣାଯିବା ବ୍ୟବସ୍ଥା ଏଠାରେ ରହିଛି । ରଥଟଣା ପରେ ଭକ୍ତ ମାନଙ୍କ ପାଇଁ ରଥ ଉପରୁ ଗୁଡରେ ନିର୍ମିତ ସ୍ଵତନ୍ତ୍ର ଗୁଡଲଡୁ ବଣ୍ଟନ ପରମ୍ପରା ମଧ୍ୟ ଅତି ନିଆରା। ଏହା ସହିତ ଦ୍ଵିତୀୟ ଶ୍ରୀକ୍ଷେତ୍ର ର ଅନ୍ୟ ଏକ ନିଆରା ପରମ୍ପରା ହେଉଛି ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣନ୍ତି । ଏହି ପରମ୍ପରା ୧୯୭୫ ମସିହା ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ମହିଳା ଦିବସରୁ ଆରମ୍ଭ ହୋଇଛି ।
ତେବେ ମହାପ୍ରଭୁଙ୍କ ନବଦିନାତ୍ମକ ଲିଳାଖେଳା ପର୍ବ ରଥଯାତ୍ରା ପାଇଁ ଆଉ ଦିନକେଇଟା ବାକି ରହିଥିବା ବେଳେ ଏହାର ପ୍ରସ୍ତୁତି କାର୍ଯ୍ୟ ଯୋରସୋର ରେ ଚାଲୁଛି । ରାତିଦିନ ଏକ କରି ରଥମହାପାତ୍ର , ରଥମହାପାତ୍ର , ବାର୍ସିଆ ସେବକ ମୋଟ ୪୦ଜଣ ମହାପ୍ରଭୁଙ୍କ ତିନି ରଥନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । ସେପଟେ ଦେବସ୍ନାନ ନୀତି ପରେ ମହାପ୍ରଭୁ ମାନେ ଅସୁସ୍ଥ ହୋଇପଡିଥିବା ବେଳେ ଏବେ କ୍ରମସଃ ସୁସ୍ଥ ହେଉଛନ୍ତି । ଆସନ୍ତା ୨୫ ତାରିଖରେ ଅଧିବାସ ପରେ ଠାକୁର ମାନେ ଅଣସର ପିଣ୍ଡିରୁ ବାହାରକୁ ଆସିବେ । ୨୬ତାରିଖରେ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ପାଳନ ହେବ ।୨୭ତାରିଖରେ ଚତୁର୍ଦ୍ଧା ମୁରତି ଙ୍କୁ ପହଣ୍ଡି କରାଯାଇ ରଥାରୂଢ କରାଯିବ ଏବଂ ତହିଁ ପରଦିନ ୨୮ ଓ ୨୯ତାରିଖ ୨ଦିନ ଧରି ରଥଟଣା କାର୍ଯ୍ୟ କରାଯିବ ବୋଲି ମନ୍ଦିର ସେବାୟତଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଚଳିତବର୍ଷ ରଥଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏନେଇ ବାରମ୍ବାର ବୈଠକ ଅନୁଷ୍ଠିତ ହେବା ସହ ନିକଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ସେବାୟତ , ଜିଲ୍ଲାପ୍ରଶାସନ ଓ ସହରର ବୁଦ୍ଧିଜୀବୀ ଙ୍କୁ ନେଇ ଏକ ସମନ୍ୱୟ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଚଳିତଥର ଶ୍ରଦ୍ଧାଳୁ କିପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ବିଶେଷ ଭାବରେ ଆୟୋଜନ କରୁଛନ୍ତି । ଟ୍ରାଫିକ ନିୟନ୍ତ୍ରଣ , ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସେବା ଯୋଗାଇବା , ଅଗ୍ନିଶମ ବିଭାଗ ପକ୍ଷରୁ ନିରାପତ୍ତା ବ୍ୟାବସ୍ଥା ଇତ୍ୟାଦି ସହ ସମ୍ପୂର୍ଣ୍ଣ ବଡଦାଣ୍ଡ କୁ ସିସିଟିଭି ସର୍ଭିଲାନ୍ସରେ ରଖାଯିବା ଭଳି ପଦକ୍ଷେପ ନିଆଯାଇଛି ।
ଆଉ ମାତ୍ର ଦିନ କେଇଟା ପରେ ରଥାରୂଢ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର। ଏଥିପାଇଁ ଜିଲ୍ଲା ପ୍ରଶାସନ, ସେବାୟତ ଓ ରଥ କାରିଗର ସମସ୍ତେ ପ୍ରସ୍ତୁତିରେ ବ୍ୟସ୍ତ। ଅମସ୍ତଙ୍କର ଅପେକ୍ଷା କେବଳ ସେହି ବ୍ରହ୍ମ ମୁହୂର୍ତ୍ତକୁ,କୁହାଯାଏ ଭକ୍ତ ଓ ଭଗବାନ ଙ୍କର ମିଳନର ଏହି ଅଦ୍ଭୁତ ଦୃଶ୍ୟକୁ ବେଖିବା ପାଇଁ ସ୍ଵର୍ଗରେ ଦେବତା ମନେ ମଧ୍ୟ ଅପେକ୍ଷା କରି ରହିଥାନ୍ତି।