ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟର କଙ୍ଗାରୁ କୋର୍ଟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଗଣମାଧ୍ୟମରେ ଖବର ପ୍ରସାରଣ ଏବଂ ଥାନାରେ ମାମଲା ରୁଜୁ ହେବା ପରେ ଏବେ ପୀଡ଼ିତଙ୍କ ଘରେ ପହଁଚିଛି ପ୍ରଶାସନ । ଭଞ୍ଜନଗର ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା, ଧରାକୋଟ ତହସିଲଦାର ଓ ମଣ୍ଡଳ ଉନ୍ନୟନ ଅଧିକାରୀ ସିଙ୍ଗିପୁର ଗ୍ରାମରେ ପହଁଚିଛନ୍ତି । ନିନ୍ଦା କରିବା ସହିତ ଏହା ଅମାନବୀୟ ଘଟଣା ବୋଲି ଉପଜିଲ୍ଲାପାଳ ଉମାଶଙ୍କର ବେହେରା କହିଛନ୍ତି । ଦୁଇ ପୀଡ଼ିତଙ୍କୁ ସାମାଜିକ ପ୍ରଦାନ କରାଯିବା ସହିତ ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ । ସେହିପରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରତିଶ୍ରୁତି ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୨ ତାରିଖ ଦିନ ଧରାକୋଟ ବ୍ଲକ୍ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଗାଈ କିଣିବାକୁ ବୁଲୁ ନାୟକଙ୍କ ସହିତ ହରିପୁରରେ ଗାଁକୁ ଯାଇଥିଲେ । ତିନୋଟି ଗାଈ କିଣି ଫେରୁଥିବାବେଳେ ଖାରିଗୁମ୍ମା ନିକଟରେ କିଛି ଲୋକ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ଗୋ-ଚାଲାଣ କରୁଥିବା ଅଭିଯୋଗ କରି ନିର୍ଧୁମ ମାଡ଼ ମାରିଥିଲେ । ଏହା ସହିତ ସେମାନଙ୍କୁ ଅଧା ଲଣ୍ଡା କରି, ପାଟିରେ ଘାସ ପୁରାଇ ଏବଂ ନର୍ଦ୍ଦମା ପାମି ପିଇବାକୁ ଦେଇଥିଲେ । ଏହା ପରେ ଆଣ୍ଠେଇ ଆଣ୍ଠେଇ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ନେଇକି ଯାଇଥିଲେ।
ଉଭୟ ବୁଲୁ ନାୟକ ଏବଂ ବାବୁଲା ନାୟକ ଧରାକୋଟ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏହି ମାମଲାରେ ୯ ଜଣ ଅଟକ ରଖଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି ।