ଲିଡ୍ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଲିଡ୍ସରେ ଖେଳା ଯାଉଛି । ସମୟ ଗଡିବା ସହ ଏହି ଟେଷ୍ଟ ଧିରେ ଧିରେ ରୋଚକ ଆଡକୁ ଗତି କରୁଥିବା ଦେଖାଯାଉଛି । ଭାରତ ପ୍ରଥମ ଇନିଂସରେ ୪୭୧ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୦୯ ରନ କରିଛି । ରବିବାର ହେଉଛି ମ୍ୟାଚର ତୃତୀୟ ଦିନ । ହେଲେ ଆଜି ବର୍ଷା ମ୍ୟାଚର ମଜା ବିଗାଡିପାରେ ।
ଆକ୍ୱେଦରର ରିପୋର୍ଟ ଅନୁସାରେ ରବିବାର ଲିଡ୍ସର ପାଣିପାଗ ଅଧିକାଂଶ ସମୟ ଭଲ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୨୧ ଡିଗ୍ରୀ ଏବଂ ସର୍ବନିମ୍ନ ୧୨ ଡିଗ୍ରୀ ରହିପାରେ । ସକାଳେ ଖରା ହେଉଥିଲେ ହେଁ ସମୟ ଗଡିବା ସହ ପାଣିପାଗରେ ପରିବର୍ତ୍ତନ ଦେଖାଯିବ । ଭାରତୀୟ ସମୟ ଅନୁସାରେ ରାତି ୭ଟାରୁ ୮ଟା ମଧ୍ୟରେ ଲିଡ୍ସରେ ବର୍ଷା ହୋଇପାରେ । ତେଣୁ ଦ୍ୱିତୀୟ ଓ ତୃତୀୟ ସେସନର ଖେଳ ପ୍ରଭାବିତ ହୋଇପାରେ । ମ୍ୟାଚର ତୃତୀୟ ଦିନ ୫୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ମ୍ୟାଚ୍ ବନ୍ଦ ରହିପାରେ । ଏହି ବର୍ଷା ଭାରତୀୟ ବୋଲରଙ୍କୁ ବେଶ ସୁହାଇପାରେ ।
ମ୍ୟାଚ୍ ଉପରେ ନଜର ପକାଇଲେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୩ ୱିକେଟ୍ ହରାଇ ୨୦୯ ରନ କରିଛି । ଓଲି ପପ ୧୦୦ ରନ ଓ ହ୍ୟାରି ବ୍ରୁକ ଖାତା ନ ଖୋଲି କ୍ରିଜରେ ଅପରାଜିତ ଅଛନ୍ତି । ଏହା ପୂର୍ବରୁ ବେନ ଡକେଟ୍ ୬୨ ରନର ଇନିଂସ ଖେଳିଥିବା ବେଳେ ଜୋ ରୁଟ୍ ୨୮ ରନ କରି ପାଭିଲିୟନ ଫେରିଥିଲେ । ଯଶପ୍ରୀତ ବୁମରା ୩ ୱିକେଟ୍ ଅକ୍ତିକାର କରିଛନ୍ତି ।
ଏହା ପୂର୍ବରୁ ଭାରତୀୟ ଦଳ ପ୍ରଥମ ଇନିଂସରେ ୪୭୧ ରନରେ ଅଲଆଉଟ୍ ହୋଇଛି । ଏକଦା ୩ ୱିକେଟ୍ ହରାଇ ୪୩୦ ରନ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଅବଶିଷ୍ଟ ୭ ୱିକେଟ୍ ମାତ୍ର ୪୧ ରନରେ ହରାଇ ୪୭୧ ରନ କରି ପାରିଛି । ଅଧିନାୟକ ଶୁଭମନ ଗିଲ୍ ୧୪୭ ରନର ଇନିଂସ ଖେଳିଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ୧୩୪ ରନ ଓ ଯଶସ୍ୱୀ ଜୟସ୍ୱାଲ ୧୦୧ ରନ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ଓ ଜୋଶ ଟଙ୍ଗ ପ୍ରତ୍ୟେକ ୪ଟି ଲେଖାଏଁ ୱିକେଟ୍ ଅକ୍ତିକାର କରିଛନ୍ତି ।