ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଇନିଂସରେ ୪୭୧ ରନ କରିବା ପରେ ଇଂଲଣ୍ଡର ଆରମ୍ଭ ନୈରାଶ୍ୟଜନକ ଥିଲା । ବୁମରାଙ୍କ ପ୍ରଥମ ଓଭରରେ ଜ୍ୟାକ କ୍ରାଉଲି(୪) ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । କିନ୍ତୁ ଏହା ପରେ ଇଂଲଣ୍ଡ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା । ବେନ ଡକେଟ୍ ଓ ଓଲି ପପ ଦ୍ୱିତୀୟ ୱିକେଟ୍ ପାଇଁ ୧୨୨ ରନ ଯୋଡିଥିଲେ । ଆଉ ଏହି ଯୋଡିକୁ ମଧ୍ୟ ବୁମରା ଭାଙ୍ଗିଥିଲେ । ୬୨ ରନ କରି ଖେଳୁଥିବା ଡକେଟଙ୍କୁ ଆଉଟ୍ କରି ବୁମରା ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ ।
ଇୁମରା ଇଂଲଣ୍ଡ ଇନିଂସର ତୃତୀୟ ୱିକେଟ୍ ମଧ୍ୟ ହାସଲ କରିଥିଲେ । ସେ ଜୋ ରୁଟ୍(୨୮)ଙ୍କୁ ନିଜର ତୃତୀୟ ଶିକାର କରିଥିଲେ । ବୁମରା ୧୦ମ ଥର ଟେଷ୍ଟରେ ରୁଟଙ୍କୁ ଆଉଟ୍ କରିଛନ୍ତି । ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୨୦୯ ରନ କରିଛି । ଦଳ ଏବେବ ବି ଭାରତଠୁ ୨୬୨ ରନ ପଛରେ ରହିଛି । ତେବେ ୩ ୱିକେଟ୍ ନେଇ ବୁମରା ବହୁତ ବଡ ରେକର୍ଡ ନିଜ ନାଁରେ କରିଛନ୍ତି।
ସେନା ଦେଶ(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ)ରେ ଏସୀୟ ବୋଲର ଭାବେ ସବୁଠୁ ଅଧିକ ୱିକେଟ୍ ନେବାର ରେକର୍ଡ କରିଛନ୍ତି । ସେ ପାକିସ୍ତାନର ମହାନ ବୋଲର ୱାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିଛନ୍ତି । ବୁମରା ସେନା ଦେଶରେ ୬୦ଟି ଇନିଂସରେ ୧୪୮ ୱିକେଟ୍ ଅକ୍ତିକାର କରିଛନ୍ତି । ଏହି ତାଲିକାରେ ୱାସିମ ଆକ୍ରମ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ଆକ୍ରମ ସେନା ଦେଶରେ ୫୫ ଇନିଂସରେ ୧୪୬ ୱିକେଟ୍ ନେଇଥିଲେ । ୧୪୧ ୱିକେଟ୍ ସହ ତାଲିକାରେ ତୃତୀୟ ସ୍ଥାନରେ ଅନିଲ କୁମ୍ବଲେ ଅଛନ୍ତି । ଇଶାନ୍ତ ଶର୍ମା ୧୩୦ ୱିକେଟ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ସେନା ଦେଶରେ ଯଶପ୍ରୀତ ବୁମରାଙ୍କ ୱିକେଟ୍
ଦକ୍ଷିଣ ଆଫ୍ରିକା ବିପକ୍ଷରେ- ୩୮ ୱିକେଟ୍
ଇଂଲଣ୍ଡ ବିପକ୍ଷରେ – ୪୦ ୱିକେଟ୍
ନ୍ୟୁଜିଲାଣ୍ଡ ବିପକ୍ଷରେ- ୬ ୱିକେଟ୍
ଅଷ୍ଟ୍ରେଲିଆ ବିପକ୍ଷରେ- ୬୪ ୱିକେଟ୍
ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଉଭୟ ଭାରତ ଓ ଇଂଲଣ୍ଡ ପସକ୍ଷରେ ରହିଛି । ଇଂଲଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୦୯ ରନ କରିଛି । ଓଲି ପୋପ ଦମଦାର ଶତକ ସହ ୧୦୦ ରନ ଏବଂ ହ୍ୟାରି ବ୍ରୁକ(୦ ରନ)ବ୍ୟାଟିଂ କରୁଛନ୍ତି । ଘରୋଇ ଦଳ ଏବେ ବି ଭାରତଠୁ ୨୬୨ ରନ ପଛରେ ରହିଛି । ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୭୧ ରନରେ ଅଲଆଉଟ୍ ହୋଇଥିଲା । ଦ୍ୱିତୀୟ ଦିନର ଖେଳରେ ଭାରତ ପକ୍ଷରୁ ଋଷଭ ପନ୍ତ ଓ ଯଶପ୍ରୀତ ବୁମରା ଦମଦାର ପ୍ରଦର୍ଶନ କରିଥିବା ବେଳେ ବାକି ଖେଳାଳି ଫ୍ଲପ ମାରିଛନ୍ତି ।