ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ଏକତରଫା ଫାଇନାଲ୍ ମ୍ୟାଚରେ ହରାଇ ଟି-୨୦ ବିଶ୍ୱକପ୍ ୨୦୨୬ ଟାଇଟଲ୍ ଜିତିଛି ଭାରତ । ପ୍ରଥମ ଦଳ ଭାବେ ତିନି ଟ୍ରଫି ଜିତି ଇତିହାସ ରଚିଛି । ଭାରତୀୟ ଦଳ ଚାମ୍ପିଅନ ହେବା ପରେ ବହୁତ ଖୁସି ହେଡ୍ କୋଚ୍ ଗୌତମ ଗମ୍ଭୀର । ପଡିଆରେ କଥା ହେଉ କି, ସାମ୍ବାଦିକ ସମ୍ମିଳନୀ, କୋଚ୍ ଗମ୍ଭୀରଙ୍କ ଚେହେରାରେ ଏକ ଭିନ୍ନ ହସ ରହିଥିଲା । କେବଳ ଏତିକି ନୁହେଁ ଆଜି ଅର୍ଥାତ ସୋମବାର ସକାଳେ ଗମ୍ଭୀର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଏହି ବିଜୟ ପୂରା ଭାରତର । ସେ ପ୍ରତ୍ୟେକ ଖେଳାଳିଙ୍କୁ ବିଶ୍ୱ ଚାମ୍ପିଅନ ଦର୍ଶାଇଛନ୍ତି । ଭାରତୀୟ ଦଳ ବିଶ୍ୱ ଚାମ୍ପିଅନ ହୋଇ ନାହିଁ, ବରଂ ପୂର୍ବରୁ ଟି-୨୦ ବିଶ୍ୱକପ୍ ବିଜେତା ଥିଲା ଏବଂ ଏବେ ଦଳ ଟାଇଟଲ୍ ନିଜ ପାଖରେ ରଖିଛି ।
ଗୌତମ ଗମ୍ଭୀର ନିଜର ଆନୁଷ୍ଠାନିକ ସୋସିଆଲ ମିଡିଆରେ ବିଶ୍ୱକପ୍ ଟ୍ରଫି ସେଲିବ୍ରେସନର ଫଟୋ ସେୟାର କରି ଲେଖିଛନ୍ତି, ଏହା କେବଳ ଭଗବାନଙ୍କ ଯୋଜନା ନୁହେଁ ଏହା ୧୪୦ କୋଟି ଭାରତୀୟଙ୍କ ଯୋଜନା ଥିଲା । ପ୍ରତ୍ୟେକ ଖେଳାଳି ଜଣେ ଜଣେ ବିଶ୍ୱ ଚାମ୍ପିଅନ । ଗମ୍ଭୀର ଏମିତି ଜଣେ କୋଚ୍ ଯିଏ ଭାରତୀୟ ଦଳକୁ ଦୁଇଟି ଆଇସିସି ଟ୍ରଫି ଜିତାଇଛନ୍ତି । ଏହା ପୂର୍ବରୁ ଭାରତ ସାତ ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିଲା । କିନ୍ତୁ ଏହା ପୂର୍ବରୁ କୌଣସି କୋଚ୍ ଟିମ୍ ଇଣ୍ଡିଆକୁ ଦୁଇଟି ଟ୍ରଫି ଜିତାଇ ନ ଥିଲେ ।
ଗମ୍ଭୀର ୨୦୨୫ରେ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଚାମ୍ପିଅନ କରାଇଥିଲେ । ଏବେ ଟି-୨୦ ବିଶ୍ୱକପ୍ ଜିତିଛି ଟିମ୍ ଇଣ୍ଡିଆ । ଗମ୍ଭୀର ଜଣେ କ୍ରିକେଟର ଭାବେ ମଧ୍ୟ ଦୁଇଟି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି । ଏଥିରେ ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍ । ଟିମ୍ ଇଣ୍ଡିଆ ଧଳା ବଲରେ ଲଗାତାର ତୃତୀୟ ଆଇସିସି ଟ୍ରଫି ନିଜ ନାଁରେ କରିଛି । ୨୦୨୪ରେ ଟି-୨୦ ବିଶ୍ୱକପ୍, ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଏବଂ ଏବେ ୨୦୨୬ ଟି-୨୦ ବିଶ୍ୱକପ୍ ।