ନୂଆଦିଲ୍ଲୀ: ଭାରତର ସବୁଠୁ ସଫଳ ଅଧିନାୟକ ମଧ୍ୟରୁ ଜଣେ ରୋହିତ ଶର୍ମାଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ୧୮ ବର୍ଷ ପୂରା ହୋଇଛି । ରୋହିତ ୨୦୦୭ ଜୁନ ୨୩ରେ ଆୟରଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ଏହା ପରେ ସେ ଟି ୨୦ ଏବଂ ୬ ବର୍ଷ ପରେ ଟେଷ୍ଟରେ ପଦାର୍ପଣ କରିଥିଲେ । ଏହି ସ୍ପେଶାଲ ଦିନରେ ସେ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ କରିଛନ୍ତି ।
୩୮ ବର୍ଷୀୟ ରୋହିତ ଶର୍ମା ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି । ଏହା ପୂର୍ବରୁ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ ଓ କୋହଲି ଏକ ସଙ୍ଗେ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଏବେ ରୋହିତ ଶର୍ମା କେବଳ ଦିନିକିଆ ଫର୍ମାଟରେ ଖେଳିବେ । ଦିନିକିଆରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଆଉ ଆଜି ତାଙ୍କର ପଦାର୍ପଣକୁ ୧୮ ବର୍ଷ ପୂରିଛି ।
୧୮ ବର୍ଷ ପୂରା ହେବା ଉପଲକ୍ଷେ ରୋହିତ ଇନଷ୍ଟାଗ୍ରାମରେ ନିଜର ହେଲମେଟ୍ ଫଟୋ ସେୟାର କରିଛନ୍ତି, ଯାହା ତାଙ୍କୁ ପଦାର୍ପଣ ଟେଷ୍ଟରେ ମିଳିଥିଲା । ଏହା ସହିତ ସେ ଲେଖିଛନ୍ତି, ମୁଁ ସର୍ବଦା କୃତଜ୍ଞ ରହିବି । ଏହା ସହିତ ଭାରତୀୟ ଦଳର ଜର୍ସିର ରଙ୍ଗ ମଧ୍ୟ ସେୟାର କରିଛନ୍ତି । ଏହା ପୂର୍ବରୁ ହରଭଜନ ସିଂଙ୍କ ଶୋରେ ରୋହିତ କହିଥିଲେ ଯେ, ମୁଁ କେବେ ପଶ୍ଚାତାପ କରିବି ନାହିଁ ଯେ, ମୋତେ ଏହା ମିଳିଲା ନାହିଁ । ମୋତେ ଜୀବନରେ ଯାହା ବି କିଛି ମିଳିଛି ସବୁ କ୍ରିକେଟରୁ ମିଳିଛି । ଯାହା କିଛି ମିଳିଛି ତାହା ମୋ ପାଇଁ ବହୁତ କିଛି ।
ରୋହିତ ଶର୍ମା ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ଦିନିକିଆ ବିଶ୍ୱକପ୍ ଜିତିବା ବହୁତ ଭିନ୍ନ କଥା, ତାର ଖୁସି ଅଲଗା ହୋଇଥାଏ । ୨୦୨୩ରେ ଆମେ ବହୁତ ନିକଟତର ପହଞ୍ଚିଥିଲୁ । ଭାରତରେ ବିଶ୍ୱକପ୍ ଖେଳା ଯାଉଥିଲା, ଆମେ ଭଲ ପ୍ରଦର୍ଶନ କରୁଥିଲୁ । ମାତ୍ର ଫାଇନାଲରେ ହାରିଗଲୁ । ଆମକୁ ଜିତିବାର ଥିଲା । ଏବେ ଜଣା ନାହିଁ ଭାରତରେ ଆଉ କେବେ ବିଶ୍ୱକପ୍ ଖେଳାଯିବ । ତେବେ ରୋହିତ ଦିନିକିଆ କ୍ରିକେଟ୍ ଖେଳ ଜାରି ରଖିବେ ବୋଲି କହିଛନ୍ତି ।
ରୋହିତ ନିଜର ଟେଷ୍ଟ କ୍ୟାରିୟରରେ ୬୭ ଟି ଟେଷ୍ଟ ଖେଳିଛନ୍ତି । ଏଥିରେ ସେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି । ଏଥିରେ ୧୨ ଶତକ ଓ ୧୮ ଅର୍ଦ୍ଧଶତକ ସାମିଲ । ଦିନିକିଆରେ ସେ ୨୭୩ ମୟାଚରେ ୧୧ ହଜାର ୧୬୮ ରନ କରିଛନ୍ତି । ଏଥିରେ ୩୨ ଶତକ ଓ ୫୮ ଅର୍ଦ୍ଧଶତକ ସାମିଲ । ଦିନିକିଆରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୬୪ ରନ ରହିଛି, ଯାହା ଦିନିକିଆ କ୍ରିକେଟ୍ ଇତିହାସରେ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର । ୧୫୯ ଟି-୨୦ ଅନ୍ତର୍ଜାତୀୟରେ ରୋହିତ ୪୨୩୧ ରନ କରିଛନ୍ତି । ଏଥିରେ ୫ ଶତକ ଓ ୩୨ ଅର୍ଦ୍ଧଶତକ ସାମିଲ । ଏହି ଫର୍ମାଟରେ ସେ ୨୦୫ ଛକା ଓ ୩୮୩ ଚୌକା ମାରିଛନ୍ତି ।