ଗଞ୍ଜାମ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାକୁ ୫୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଏହା ସହିତ ମା’ ତାରାତାରିଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜ୍ ଡି ପି ଆର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୋଲସରାରେ ଏକ ବିଶ୍ୱସ୍ତରୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦିଆଯିବ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋମବାର ଗଞ୍ଜାମ ଜିଲ୍ଲା ଗସ୍ତ କରି ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶର ଉଦଘାଟନ କରିଛନ୍ତି । ଏହି ଅବସରରେ ୫୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ, ଗୋଟିଏ ହାଇ ଲେବଲ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ରହିଛି ।
ଜନତାଙ୍କ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି କଳା, ସଙ୍ଗୀତ, ନୃତ୍ୟ ଓ ଗୀତର ସମ୍ଭାର । ଖାଲି ସେତିକି ନୁହେଁ ଗଞ୍ଜାମ ବାସୀ ରାଜନୀତିରେ ମଧ୍ୟ ପାରଙ୍ଗମ । ଗଞ୍ଜାମ ବାସୀ ଡବଲ ନୁହେଁ ଟ୍ରିପଲ୍ ଇଞ୍ଜିନ ସରକାର ଗଠନ କରିଛନ୍ତି । ଜୁନ ୧୨ ତାରିଖ ପାଇଁ ବର୍ଷ ପୂର୍ତ୍ତିର ମହତ୍ତ୍ୱପୂର୍ଣ୍ଣ ଦିବସ ଥିଲା କିନ୍ତୁ ଆମେ ଆମ ସଫଳତାରେ ଆତ୍ମ ବିଭୋର ନହୋଇ ଜୁନ ୧୩ ତାରିଖରୁ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛୁ ବୋଲି କହିଛନ୍ତି ମୋହନ ।
କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।