ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ସୋମବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ଓ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରିବାକୁ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଆଲୋଚନାରେ କହିଛନ୍ତି ଓଡ଼ିଶାର ସମ୍ବଲପୁର ଓ ଦେବଗଡ଼କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନରେ ପୌର ସଂସ୍ଥାକୁ ଦିଆଯାଉଥିବା ଅର୍ଥ ଦିଆଯାଇନାହିଁ । ସମ୍ବଲପୁର ଏବଂ ଦେବଗଡ଼ ଆର୍ଥିକ, ଶିକ୍ଷାଗତ, ଶିଳ୍ପ ଏବଂ ସାଂସ୍କୃତିକ ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପଞ୍ଚଦଶ ଅର୍ଥ କମିଶନ ଅଧୀନରେ 'ମୌଳିକ ଏବଂ ସଂଯୁକ୍ତ ଅନୁଦାନ' ଏବଂ 'ସ୍ୱାସ୍ଥ୍ୟ ଅନୁଦାନ' ଏ ପର୍ଯ୍ୟନ୍ତ ନ ମିଳିବା ଯୋଗୁଁ ଅନେକ ବିକାଶମୂଳକ କାର୍ଯ୍ୟରେ ବାଧା ଉପୁଜିଛି ।
ସମ୍ବଲପୁର ଏବଂ ଦେବଗଡ଼ରେ ଏହି ମୌଳିକ ଅନୁଦାନ ରାଶି ଦ୍ୱାରା ପୌର ସଂସ୍ଥାରେ ରାସ୍ତା ଏବଂ ଡ୍ରେନେଜ୍ ଉନ୍ନତି, ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ । ଏଥପାଇଁ ସେ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ନାଗରିକ ସେବା ଏବଂ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ ହେବ । ଏହି ଅନୁଦାନ ପୌରସଂସ୍ଥା ଗୁଡ଼ିକୁ ଅତ୍ୟାବଶ୍ୟକୀୟ ବିକାଶ କାର୍ଯ୍ୟ ଜାରି ରଖିବା ଏବଂ ନାଗରିକ ସେବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର ଗୁରୁତ୍ୱାରୋପ କରିଛନ୍ତି ।
ଏହାବ୍ୟତୀତ ଆଲୋଚନା କାଳରେ ସମ୍ବଲପୁର ଏବଂ ଦେବଗଡ଼ରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ କିପରି ଘର ମିଳିପାରିବ, ପିଏମ ସ୍ୱନିଧି ଯୋଜନାରେ ଉଠା ଦୋକାନୀ କିଭଳି ସହଜରେ ଋଣ ପାଇବା ସହ ସ୍ୱାବଲମ୍ବୀ ହୋଇପାରିବେ, ଇ- ବସ ଚଳାଚଳକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ସହରରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ବ୍ୟବସ୍ଥିତ ଭାବରେ ହେବ, ସେ ଦିଗରେ ଉଭୟ ମନ୍ତ୍ରୀ ଆଲୋଚନା କରିଛନ୍ତି ।
ତେବେ ଏ ନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଖଟ୍ଟର ପ୍ରତିଶ୍ରୁତି ଦେଇଛନ୍ତି । ସେଥିପାଇଁ ଆଶ୍ୱସ୍ତ କରିଥିବାରୁ ଶ୍ରୀ ପ୍ରଧାନ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।