ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ଥିବା ଡାଇରିଆ ସ୍ଥିତିରେ ସୁଧାର ଆସିଛି । ଡାଇରିଆରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ରାଜ୍ୟର ଡାଇରିଆ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସମୀକ୍ଷା କରିଥିଲେ । ତା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, " ଡାଇରିଆ ସ୍ଥିତିକୁ ଗୁରୁତର ସହ ନେଉଛନ୍ତି ସରକାର । ଡାଇରିଆ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ରଥଯାତ୍ରା ସମୟରେ ଯେମିତି ପୁରୀକୁ ଡାଇରିଆ ନ ବ୍ୟାପିବ ତାକୁ ଗୁରୁତ୍ବ ଦିଆଯାଇଛି । ସେଥିପାଇଁ ୩୮୭ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ ନିଯୁକ୍ତ କରାଯାଇଛି । ଫାଷ୍ଟ ଏଡ୍ ସେଣ୍ଟର ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହିତ ଶ୍ରଦ୍ଧାଳୁଙ୍କୁ ଆର୍ଓ ପାଣି ଦେବାକୁ ବ୍ୟବସ୍ଥା ହୋଇଛି" ।
ବିଭିନ୍ନ ସଚେତନମୂଳକ ପଦକ୍ଷେପ ପରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ହେବା ସହିତ ନୂତନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତଥାପି ଦଶହରା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ଓ ବିଶୁଦ୍ଧ ପାନୀୟ ଜଳ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପ୍ରଭାବିତ ଜିଲ୍ଲାରେ ଜନସଚେତନତା ଏବଂ ପ୍ରତିରୋଧକ ବ୍ୟବସ୍ଥା ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ସଂପୂର୍ଣ୍ଣ ସଜାଗ ରହିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।