ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୫ ବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଧିରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଫଳରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ପାଣିପାଗ ବିଭାଗର ସୂଚନାନୁସାରେ, ଦକ୍ଷିଣ ପାକିସ୍ତାନରୁ ରାଜସ୍ଥାନର କେନ୍ଦ୍ରୀୟ ଅଂଶ, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଦେଇ ବାଂଲାଦେଶର କେନ୍ଦ୍ରୀୟ ଅଂଶ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଛି । ଦକ୍ଷିଣ ଉତ୍ତର ପ୍ରଦେଶ ଏବଂ ପଡ଼ୋଶୀ, ଝାଡ଼ଖଣ୍ଡ, ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗର କେନ୍ଦ୍ରୀୟ ଅଞ୍ଚଳରେ ଉପରେ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ୨୫ ତାରିଖ ବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଧିରେ ଧିରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ଲଘୁଚାପ ବିଶେଷ ପ୍ରଭାବ ରହିଥିବାବେଳେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି ।
ଜୁନ ୨୫ ଓ ୨୬ ତାରିଖ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାକୁ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଗଜପତି ଓ ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଆସନ୍ତା ୨୫ ତାରିଖ ପାଇଁ ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଆସନ୍ତା ୨୬ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେବେ ୨୭ ତାରିଖରେ ମଧ୍ୟ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବ ସହିତ ଝଟକା ପବନ ମଧ୍ୟ ବୋହିବାର ଆକଳନ କରାଯାଇଛି । ସେହିପରି ୨୫ ଓ ୨୬ ତାରିଖରେ ସମୁଦ୍ର ଭିତରକୁ ମାଛ ମାରିବାକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ ।