ଗଞ୍ଜାମ: ଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି, ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶା ଆଗାମୀ ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ । ଆଉ ଏହି ଲକ୍ଷ୍ୟ ପୂରଣ କରିବାରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଗଞ୍ଜାମ ଜିଲ୍ଲା ଆସ୍କାଠାରେ ସୋମବାରରେ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯୁବ ବର୍ଗ ହେଉଛନ୍ତି ସମାଜର ଶକ୍ତି, ସାମର୍ଥ୍ୟ ଓ ଭବିଷ୍ୟତ । ଅସୀମିତ ଶକ୍ତିର ଭଣ୍ଡାର । ୧୫ ରୁ ୩୫ ବର୍ଷ ବୟସ ମଧ୍ୟରେ ଜନସଂଖ୍ୟା ହେଉଛି ୧.୭ କୋଟି । ଏହି ବିପୁଳ ଯୁବ ଶକ୍ତିର ସାମର୍ଥ୍ୟ ଉପରେ ଭରସା କରି ଭବିଷ୍ୟତ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି । ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ଉପରେ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି । ଜାତୀୟ ଶିକ୍ଷାନୀତି ଲାଗୁ କରିବା ଓ ଉଚ୍ଚ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା କରିବା ଆଦି ଅନ୍ତର୍ଭୁକ୍ତ । ଏହି ସବୁ କାର୍ଯ୍ୟକ୍ରମ ଆଗାମୀ ଦିନରେ ଯୁବ ବର୍ଗଙ୍କୁ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ଅଧିକ ଯୋଗ୍ୟ କରି ଗଢି ତୋଳିବା ସହିତ ସାରା ବିଶ୍ୱରେ ସେମାନଙ୍କର ଚାହିଦା ବଢିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି କରିଛନ୍ତି ।
ନିଜ ନିଜର ପ୍ରତିଭାକୁ ଜାଣନ୍ତୁ ଏବଂ ତାର ବିକାଶ ପାଇଁ କାମ କରନ୍ତୁ । ନିଜର ଚିନ୍ତାଧାରାକୁ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିଭୂମି ସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ବରପୁତ୍ର ମାନଙ୍କ ସହିତ ମହାନ ଜନନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତିକା ତୃଣମୂଳରୁ ଶୀର୍ଷ ସୋପାନ ଉନ୍ମୋଚନ କରିଛନ୍ତି ।