ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି । ଗଣମାଧ୍ୟମର ଖବରକୁ ଆଧାର କରି ନିଜ ଆଡ଼ୁ ମାମଲା ରୁୁଜୁ କରିଛି ଏନ୍ଏଚ୍ଆରସି । ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦେଶକଙ୍କୁ ନୋଟିସ ଜାରି କରିଛି ଏନ୍ଏଚ୍ଆରସି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି । ଏହା ସହିତ ମାମଲାର ତଦନ୍ତ କିପରି ଚାଲିଛି, ପୀଡିତାଙ୍କ ସ୍ୱାସ୍ଥ୍ୟ ଏବଂ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ ସମ୍ପର୍କରେ ସମସ୍ତ ବିସ୍ତୃତ ସୂଚନା ଦେବାକୁ ନୋଟିସରେ କୁହାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜୁନ ୧୫ ତାରିଖରେ ରାତି ପ୍ରାୟ ୯ଟା ବେଳେ ଜଣେ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ବେଳାଭୂମିରେ ପାନ୍ଥନିବାସ ନିକଟରେ ବୁଲୁଥିବା ବେଳେ ତାଙ୍କ ସହିତ ଗଣ ଦୁଷ୍କର୍ମ ହୋଇଥିଲା । ଏହି ମାମଲାରେ ପୋଲିସ ୪ ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କରିଛି । ସମସ୍ତେ ହିଞ୍ଜିଳିକାଟୁ ଅଞ୍ଚଳର ଅଟନ୍ତି । ଡିଜିପି ଘଟଣାର ଗମ୍ଭୀରତାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ମହିଳା କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ।