ଲିଡ୍ସ: ଲିଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଶୁକ୍ରବାରଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତୀୟ ବ୍ୟାଟର ପ୍ରାଧ୍ୟାନ୍ୟ ବିସ୍ତାର କରିଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୩୫୯ ରନ କରିଛି । ଅଧିନାୟକ ଶୁଭମନ ଗିଲ ୧୨୭ ରନ ଓ ଉପ ଅଧିନାୟକ ଋଷଭ ପନ୍ତ ୬୫ ରନ କରି ଖେଳୁଛନ୍ତି । ଉଭୟ ଖେଳାଳି ଚତୁର୍ଥ ୱିକେଟରେ ଏ ପର୍ଯ୍ୟନ୍ତ ୧୩୮ ରନ ଯୋଡି ସାରିଛନ୍ତି । ଯଶସ୍ୱୀ ଜୟସ୍ୱାଲ ୧୦୧ ରନର ଶତକୀୟ ଇନିଂସ ଖେଳିଛନ୍ତି । ତେବେ ଭାରତ ନିଜ ନାଁରେ ଥିବା ଏକ ରେକର୍ଡ ଭାଙ୍ଗିବାରେ ଅଳ୍ପକେରୁ ବର୍ତ୍ତି ଯାଇଛି ।
ଏହି ମ୍ୟାଚରେ ଟସ୍ ଜିତି ଘରୋଇ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଓପନର ଜୟସ୍ୱାଲ ଓ କେଏଲ ରାହୁଲ ଦମଦାର ଆରମ୍ଭ କରିଥିଲେ । ଉଭୟ ଓପନିଂରେ ୯୧ ରନ ଯୋଡିଥିଲେ । ରାହୁଲ ୪୨ ରନର ଭଲ ଇନିଂସ ଖେଳି ଆଉଟ୍ ହୋଇଥିଲେ । ସାଇ ସୁଦର୍ଶନ ଟେଷ୍ଟରେ ପଦାର୍ପଣ କରିଥିଲେ ହେଁ ଖାତା ଖୋଲି ପାରି ନ ଥିଲେ । ୯୨ ରନ ସ୍କୋରରେ ଭାରତ ଦୁଇଟି ୱିକେଟ ହରାଇଥିଲା ।
ଏହା ପରେ ଜୟସ୍ୱାଲ ଦମଦାର ବ୍ୟାଟିଂ କରିଥିଲେ । ସେ ୧୦୧ ରନ ଶତକୀୟ ଇନିଂସ ଖେଳି ନିଜର ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ଅର୍ଜନ କରିଥିଲେ । ଅଧିନାୟକ ଶୁଭମନ ଗିଲଙ୍କ ସହିତ ସେ ୧୨୯ ରନ ଯୋଡି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ । ଜୟସ୍ୱାଲ ଇଂଲଣ୍ଡ ମାଟିରେ ପ୍ରଥମ ଇନିଂସରେ ଶତକ ଲଗାଇବାରେ ପଞ୍ଚମ ଖେଳାଳି ହୋଇଛନ୍ତି । ଅନ୍ୟପଟେ ଗିଲ୍ ଚମତ୍କାର ବ୍ୟାଟିଂ କରି ୧୨୭ ରନର ଇନିଂସ ଖେଳି ଅପରାଜିତ ଅଛନ୍ତି । ଅଧିନାୟକ ଭାବେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି । ଋଷଭ ପନ୍ତ ମଧ୍ୟ ନିଜର ଚମକ ଦେଖାଇଛନ୍ତି । ସେ ଅର୍ଦ୍ଧଶତକହାସଲ କରି ୬୫ ରନ କରି ଅପରାଜିତ ଅଛନ୍ତି । ହାତରେ ଆହୁରି ୭ ୱିକେଟ ଥିବାରୁ ଭାରତ ବଡ ସ୍କୋର ଅଭିମୁଖେ ଅଗ୍ରସର ହେଉଛି ।
ବଡ ରେକର୍ଡରୁ ବଞ୍ଚିତ ହେଲା ଭାରତ
ଭାରତୀୟ ଦଳ କୌଣସି ଟେଷ୍ଟ ଗସ୍ତରେ ପ୍ରଥମ ଦିନରେ ସର୍ବାଧିକ ରନ କରିବାର ନିଜ ରେକର୍ଡ ଭାଙ୍ଗିବାରେ ବର୍ତ୍ତି ଯାଇଛି । କୌଣସି ଗସ୍ତରେ ଭାରତୀୟ ଦଳ ପ୍ରଥମ ଦିନରେ ୩୯୯ ରନର ବଡ ସ୍କୋର କରିଛନ୍ତି । ୨୦୧୭ରେ ଦଳ ଶ୍ରୀଲଙ୍କା ବିପକ୍ଷରେ ଏହି ସ୍କୋର କରିଥିଲା । ୨୦୦୧ରେ ଭାରତୀୟ ଦଳ ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୭୨ ରନ କରିଥିଲା । ଆଉ ଚଳିତ ଲିଡ୍ସ ଟେଷ୍ଟରେ ଭାରତ ପ୍ରଥମ ଦିନରେ ୩୫୯ ରନ କରିଛି ।