ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡରେ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ସିରିଜର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି । ତେବେ ଅଧିନାୟକ ଶୁବମନ ଗିଲ୍ ଦମଦାର ପାଳି ଖେଳି ଦଳକୁ ମଜବୁତ ସ୍ଥିତିରେ ରଖିଛନ୍ତି । କିନ୍ତୁ ଗିଲଙ୍କ ଏକ ଛୋଟିଆ ଭୁଲ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଆଇସିସି ତାଙ୍କ ଉପରେ ବ୍ୟାନ୍ ଲଗାଇପାରେ ନ ହେଲେ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାର ସମ୍ଭାବନା ରହିଛି ।
ଗତକାଲି ପ୍ରଥମ ଦିନରେ ଶୁବମନ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ନିଜେ ଅଧିନାୟକ ହୋଇ ଆଇସିସିର ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି । ସେ ଏକ କଳାର ରଙ୍ଗର ସକ୍ସ ବା ମୋଜା ପିନ୍ଧିଥିଲେ । ଯାହାକି ଆଇସିସିର ନିୟମ ବିରୋଧୀ ଅଟେ । କ୍ୟାମେରାରେ ଗିଲଙ୍କ ମୋଜା କଏଦ ହୋଇଛି । ଆଇସିସିର ନିୟମ ୧୯.୪୫ ଅନୁଯାୟୀ ଖେଳାଳୀମାନେ ମ୍ୟାଚ ସମୟରେ କେବଳ ଧଳା, ହାଲୁକା ବାଦାମୀ ବା କ୍ରିମ କିମ୍ବା ଧୂସର ବା ଗ୍ରେ ରଙ୍ଗର ହୋଇଥିବା ଜରୁରୀ । ୨୦୨୩ ଠାରୁ ଆଇସିସିରେ ଏହି ନିୟମ ଲାଗୁ ହୋଇଛି । ସମସ୍ତ ଖେଳାଳୀ ଏହାକୁ ପାଳନ କରନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, କ’ଣ ଆଇସିସି ଗିଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ? ଏହି ମାମଲାରେ ଅମ୍ପାୟାର୍ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି । ଅମ୍ପାୟାର ରିଚୀ ରିଚର୍ଡସନ୍ ନିଷ୍ପତ୍ତି ନେଇ ପାରନ୍ତି । ଆଇସିସିର ନିୟମାବଳୀ ଅନୁସାରେ, ଖେଳାଳୀଙ୍କ ଦ୍ୱାରା ୧୯.୪୫ ନିୟମ ଉଲ୍ଲଂଘନ ହେଲେ ଏହାକୁ ପ୍ରଥମ ସ୍ତର ବା ଲେବଲ୍ ୧ର ଅପରାଧ ଭାବରେ ବିବେଚନା କରାଯିବ । ଯଦ୍ୱାରା ଖେଳାଳୀଙ୍କର ମ୍ୟାଚ୍ ଫିସର ୧୦ ପ୍ରତିଶତରୁ ୫୦ ପ୍ରତିଶତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇପାରେ । ଏପରିକି ଡିମେରିଟ୍ ପଏଣ୍ଟ ମଧ୍ୟ ଦିଆଯାଇଥାଏ ।
ତେବେ ଏବେ ସବୁକିଛି ରେଫ୍ରିଙ୍କ ଉପରେ ନିର୍ଭର କରୁଛି । ଯଦି ତାଙ୍କ ଅନୁଭବ ହୁଏ କି ଶୁବମନ ଜାଣିଶୁଣି ଭୁଲ କରି ନାହାଁନ୍ତି ତେବେ ତାଙ୍କୁ ଖାଲି ଚେତାବନୀ ଦେଇ ଛଡ଼ାଯିବ । ତେବେ ପୂର୍ବରୁ କପଡ଼ା ସମ୍ବନ୍ଧୀୟ ମାମଲାରେ ବିଶେଷ କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଦେଖାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଗିଲ୍ ୧୨୭ ରନର ଦମଦାର ପାଳି ଖେଳିଛନ୍ତି । ପ୍ରଥମ ଦିନରେ ଭାରତୀୟ ଦଳ ୩ ୱିକେଟ୍ ହରାଇ ୩୫୯ ସଂଗ୍ରହ କରିଛି ।