ଲିଡ୍ସ: ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଉଭୟ ଭାରତ ଓ ଇଂଲଣ୍ଡ ପସକ୍ଷରେ ରହିଛି । ଇଂଲଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୦୯ ରନ କରିଛି । ଓଲି ପୋପ ଦମଦାର ଶତକ ସହ ୧୦୦ ରନ ଏବଂ ହ୍ୟାରି ବ୍ରୁକ(୦ ରନ)ବ୍ୟାଟିଂ କରୁଛନ୍ତି । ଘରୋଇ ଦଳ ଏବେ ବି ଭାରତଠୁ ୨୬୨ ରନ ପଛରେ ରହିଛି । ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୭୧ ରନରେ ଅଲଆଉଟ୍ ହୋଇଥିଲା । ଦ୍ୱିତୀୟ ଦିନର ଖେଳରେ ଭାରତ ପକ୍ଷରୁ ଋଷଭ ପନ୍ତ ଓ ଯଶପ୍ରୀତ ବୁମରା ଦମଦାର ପ୍ରଦର୍ଶନ କରିଥିବା ବେଳେ ବାକି ଖେଳାଳି ଫ୍ଲପ ମାରିଛନ୍ତି ।
ଇଂଲଣ୍ଡର ପ୍ରଥମ ଇନିଂସ ଆରମ୍ଭରୁ ନିରାଶ ଜନକ ଥିଲା । ପ୍ରଥମ ଓଭରରେ ଯଶପ୍ରୀତ ବୁମରା ଜ୍ୟାକ କ୍ରାଉଲି(୪ ରନ)ଙ୍କୁ ପାଭିଲିୟନ ପଠାଇଥିଲେ । ହେଲେ ଏହା ପରେ ବେନ ଡକେଟ୍ ଓ ଓଲି ପପ୍ ଭାରତୀୟ ବୋଲରଙ୍କୁ ଖୁବ୍ ପ୍ରହାର କରିଥିଲେ । ଦୁ ବ୍ୟାଟର ଦ୍ୱିତୀୟ ୱିକେଟ୍ ପାଇଁ ୧୨୨ ରନ ଯୋଡିଥିଲେ । ଡକେଟ୍ ୯୪ ବଲରୁ ୯ ଚୌକା ସହ ୬୨ ରନର ଇନିଂସ ଖେଳି ବୁମରାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଏହା ପରେ ଓଲି ପପ୍ ଓ ଜୋ ରୁଟ୍ ଦଳର ଇନିଂସକୁ ଆଗକୁ ବଢାଇଥିଲେ ।
ଓଲି ପପ୍ ଦମଦାର ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ଜୋ ରୁଟ୍ ୨୮ ରନ କରି ଜମି ଆସୁଥିଲେ ହେଁ ବଡ ସ୍କୋର କରି ପାରି ନ ଥିଲେ । ଦ୍ୱିତୀୟ ଦିନର ଖେଳ ଶେଷ ଆଡକୁ ଜୋ ରୁଟ(୨୮)ଙ୍କୁ ଆଉଟ୍ କରିଥିଲେ ବୁମରା । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୨୦୯ ରନ କରିଛି । ଓଲି ପପ୍ ୧୦୦ ରନ ଓ ବ୍ରୁକ ଖାତା ନ ଖୋଲି କ୍ରିଜରେ ଅପରାଜିତ ଅଛନ୍ତି । ଯଶପ୍ରୀତ ବୁମରାୁ ସମସ୍ତ ୩ଟି ନେଇଛନ୍ତି । ତୃତୀୟ ଦିନର ଖେଳ ବେଶ ରୋମାଞ୍ଚକର ହେବାକୁ ଯାଉଛି ।
ଭାରତ ପ୍ରଥମ ଦିନର ଅସମାପ୍ତ ଖେଳ ୩୫୯/୩ରୁ ଖେଳ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ଶୁଭମନ ଗିଲ୍(୧୨୭) ଓ ଋଷଭ ପନ୍ତ(୬୫)। ଦ୍ଵିତୀୟ ଦିନରେ ଆଉ ୭୧ ରନ ଯୋଡ଼ି ଦଳର ସ୍କୋରକୁ ୪୩୦ ରନରେ ପହଞ୍ଚାଇଥିଲେ। ଗିଲ୍ ନିଜର ବ୍ୟକ୍ତିଗତ ସ୍କୋରରେ ଆଉ ୨୦ ରନ ଯୋଡ଼ି ୧୪୭ ରନ କରି ଆଉଟ୍ ହୋଇଥିଲେ। ତାଙ୍କର ଏହି ଶତକୀୟ ଇନିଂସରେ ୧୯ ଚୌକା ଓ ଏକ ଛକା ସାମିଲ। ଗିଲ୍ ଓ ପନ୍ତ ଚତୁର୍ଥ ଓ୍ଵିକେଟ୍ରେ ୨୦୯ ରନର ଭାଗିଦାରୀ କରିଥିଲେ।
ଗିଲଙ୍କ ଆଉଟ୍ ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅନ୍ୟପଟେ ଋଷଭ ପନ୍ତ ଦମଦାର ଶତକ ହାସଲ କରିଥିଲେ। କରୁଣ ନାୟର ବିନା ଖାତା ଖୋଲି ଆଉଟ୍ ହୋଇଥିଲେ। ପନ୍ତଙ୍କ ଶତକୀୟ ଇନିଂସର ଅନ୍ତ ଘଟାଇଥିଲେ ଯୋଶ ଟଙ୍ଗ। ସେ ୧୭୮ ବଲରୁ ୧୨ ଚୌକା ଓ ୬ ଛକା ସହ ୧୩୪ ରନ କରିଥିଲେ। ଶାର୍ଦ୍ଦୁଳ ଠାକୁର ୧ ରନ ଓ ଯଶପ୍ରୀତ ବୁମରା ଖାତା ଖୋଲି ପାରି ନ ଥିଲେ। ଜାଡ଼େଜା ୧୧ ରନ କରିଥିଲେ। ଶେଷରେ ଭାରତ ପ୍ରଥମ ଇନିଂସରେ ୪୭୧ ରନରେ ଅଲଆଉଟ୍ ହୋଇଛି।
ଏହା ପୂର୍ବରୁ ପ୍ରଥମ ଦିନରେ ଯଶସ୍ଵୀ ଜୟସ୍ଵାଲ ୧୦୧ ରନର ଶତକୀୟ ଇନିଂସ ଖେଳିଥିଲେ। କେଏଲ ରାହୁଲ ୪୨ ରନ କରିଥିବା ବେଳେ ସାଇ ସୁଦର୍ଶନ ଖାତା ଖୋଲି ପାରି ନ ଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ ଷ୍ଟୋକ୍ସ ୪ ଓ୍ଵିକେଟ୍ ନେଇଥିବା ବେଳେ ଜୋଶ ଟଙ୍ଗ ମଧ୍ୟ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।