ଛତିଶଗଡ: କଣ୍ଟା ପୂରିବାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ପୁନର୍ବାସ ଅଭିଯାନ ମୁହଁ ମାଓବାଦୀ। ଲାଲଗଡ ଛାଡି ଆତ୍ମସମର୍ପଣ କରୁଛନ୍ତି ନକ୍ସଲ। ଆଜି(ବୁଧବାର) ଛତିଶଗଡ ବସ୍ତରରେ ୧୦୮ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ୧୦୮ ମାଓବାଦୀ। ଏନେଇ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି।
ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଉପରେ ୩ କୋଟି ୯୫ ଲକ୍ଷର ପୁରସ୍କାର ଘୋଷଣା କରିଥିଲେ ଛତିଶଗଡ ସରକାର।ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି, ‘୧୦୮ ନକ୍ସଲ ୧୦୧ ହତିଆର ସହ ଆତ୍ମସମର୍ପଣ କରିଛନ୍ତି। ଯେଉଁଥିରେ ୬ଟି ଏକେ-47, ଗୋଟିଏ ଏକେ-47 ପିଏଆରଜି , ୧୧ଟି ଇନସାସ୍ ରାଇଫଲ, ୧ କାର୍ବାଇନ, ୫ଟି ଏସଏଲଆର ରାଇଫଲ, ବିଜିଏଲ ରହିଛି।
୩ କୋଟି ୬୦ ଲକ୍ଷ ନଗଦ ଟଙ୍କା, ୧ କେଜି ସୁନା ଜବତ:
ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଆହୁରି ମଧ୍ୟ କହିଛନ୍ତି ନକ୍ସଲଙ୍କ ଡ୍ରମ୍ ମିଳିଛି। ସେଥିରୁ ୩ କୋଟି ୬୦ ଲକ୍ଷ ଟଙ୍କା ଓ ଏକ କେଜି ସୁନା ଜବତ ହୋଇଛି। ନକ୍ସଲ ମାନେ ବିଜାପୁର ଇନ୍ଦ୍ରାବତୀ ନଦୀ ନିକଟରେ ମାଟି ତଳେ ପୋତିକି ରଖିଥିଲେ ଏହି ଡ୍ରମ୍।
୩୧ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ:
ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଆହୁରି କହିଛନ୍ତି, ବସ୍ତର ଅଞ୍ଚଳରେ ୩୦ଟି ଏରିଆ କମିଟି ରହିଛି। ଯେଉଁଥିରୁ ୨୬ଟି ଏରିଆ କମିଟି ନକ୍ସଲ ମୁକ୍ତ ହେଲାଣି। ଆଉ ୪ଟି କମିଟି ଉପରେ କାର୍ଯ୍ୟ ଜାରି ରହିଛି। ଆସନ୍ତା ୩୧ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ କରାଯିବ।
ଆଉ ୨୦ ଦିନ ବାକି:
ଦେଶରୁ ମାର୍ଚ୍ଚ ୩୧ ସୁଦ୍ଧା ମାଓମୁକ୍ତ କରାଯିବା ନେଇ ଘୋଷଣା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଫଳରେ ଧୀରେ ଧୀରେ ମାଓମୁକ୍ତ ହେଉଛି ଛତିଶଗଡର ଏକାଧିକ ଅଞ୍ଚଳର। ଡେଡ୍ଲାଇନ ପାଖେଇ ଆସୁଥିବାରୁ ନକ୍ସଲ ବିରୋଧୀ ଅପରେସନ ଜୋରଦାର କରାଯାଉଛି। କେଉଁଠି ଗୁଳି ବିନିମୟରେ ନକ୍ସଲ ଟଳୁଥିବା ବେଳେ ଆଉ କେଉଁଠି ସରକାରଙ୍କ ନୀତିରେ ଆକୃଷ୍ଟ ହୋଇ ମାଓ କ୍ୟାମ୍ପ ଛାଡି ଆତ୍ମସମର୍ପଣ କରୁଛନ୍ତି ନକ୍ସଲ।
ଅଧିକ ପଢନ୍ତୁ: ନକ୍ସଲବାଦର ଅନ୍ତ କରିବ ଏହି ମାଓବାଦୀଙ୍କ ଆତ୍ମସମର୍ପଣ! ଶତାଧିକ ଯବାନଙ୍କ ହତ୍ୟାକାରୀର ମୁଣ୍ଡରେ ରହିଛି ସାଢ଼େ ୩କୋଟି ପୁରସ୍କାର ରାଶି