ଲିଡ୍ସ: ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୪୭୧ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଦିନରେ ୩ ଓ୍ଵିକେଟ୍ ହରାଇ ୩୫୯ ରନ କରିଥିବା ଭାରତ ଶନିବାର ଦ୍ଵିତୀୟ ଦିନର ପ୍ରଥମ ସେସନରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଫଳରେ ଦଳ ୫୦୦ ରନ ସ୍କୋର ବି କରି ପାରିନି। ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୧୪୭ ରନର ଇନିଂସ ଖେଳିଥିବା ବେଳେ ଋଷଭ ପନ୍ତ ୧୩୪ ରନ ଓ ଜୟସ୍ଵାଲ ୧୦୧ ରନର ଇନିଂସ ଖେଳିଛନ୍ତି। ଏକଦା ୪୩୦ ରନରେ ୩ ଓ୍ଵିକେଟ୍ ହରାଇଥିବା ଭାରତ ଶେଷ ୭ ଓ୍ଵିକେଟ୍ ମାତ୍ର ୪୧ ରନରେ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି।
ଭାରତ ପ୍ରଥମ ଦିନର ଅସମାପ୍ତ ଖେଳ ୩୫୯/୩ରୁ ଖେଳ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ଶୁଭମନ ଗିଲ୍(୧୨୭) ଓ ଋଷଭ ପନ୍ତ(୬୫)। ଦ୍ଵିତୀୟ ଦିନରେ ଆଉ ୭୧ ରନ ଯୋଡ଼ି ଦଳର ସ୍କୋରକୁ ୪୩୦ ରନରେ ପହଞ୍ଚାଇଥିଲେ। ଗିଲ୍ ନିଜର ବ୍ୟକ୍ତିଗତ ସ୍କୋରରେ ଆଉ ୨୦ ରନ ଯୋଡ଼ି ୧୪୭ ରନ କରି ଆଉଟ୍ ହୋଇଥିଲେ। ତାଙ୍କର ଏହି ଶତକୀୟ ଇନିଂସରେ ୧୯ ଚୌକା ଓ ଏକ ଛକା ସାମିଲ। ଗିଲ୍ ଓ ପନ୍ତ ଚତୁର୍ଥ ଓ୍ଵିକେଟ୍ରେ ୨୦୯ ରନର ଭାଗିଦାରୀ କରିଥିଲେ। ଗିଲଙ୍କ ଆଉଟ୍ ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅନ୍ୟପଟେ ଋଷଭ ପନ୍ତ ଦମଦାର ଶତକ ହାସଲ କରିଥିଲେ। କରୁଣ ନାୟର ବିନା ଖାତା ଖୋଲି ଆଉଟ୍ ହୋଇଥିଲେ। ପନ୍ତଙ୍କ ଶତକୀୟ ଇନିଂସର ଅନ୍ତ ଘଟାଇଥିଲେ ଯୋଶ ଟଙ୍ଗ। ସେ ୧୭୮ ବଲରୁ ୧୨ ଚୌକା ଓ ୬ ଛକା ସହ ୧୩୪ ରନ କରିଥିଲେ। ଶାର୍ଦ୍ଦୁଳ ଠାକୁର ୧ ରନ ଓ ଯଶପ୍ରୀତ ବୁମରା ଖାତା ଖୋଲି ପାରି ନ ଥିଲେ। ଜାଡ଼େଜା ୧୧ ରନ କରିଥିଲେ। ଶେଷରେ ଭାରତ ପ୍ରଥମ ଇନିଂସରେ ୪୭୧ ରନରେ ଅଲଆଉଟ୍ ହୋଇଛି।
ଏହା ପୂର୍ବରୁ ପ୍ରଥମ ଦିନରେ ଯଶସ୍ଵୀ ଜୟସ୍ଵାଲ ୧୦୧ ରନର ଶତକୀୟ ଇନିଂସ ଖେଳିଥିଲେ। କେଏଲ ରାହୁଲ ୪୨ ରନ କରିଥିବା ବେଳେ ସାଇ ସୁଦର୍ଶନ ଖାତା ଖୋଲି ପାରି ନ ଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ ଷ୍ଟୋକ୍ସ ୪ ଓ୍ଵିକେଟ୍ ନେଇଥିବା ବେଳେ ଜୋଶ ଟଙ୍ଗ ମଧ୍ୟ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।