ଲିଡ୍ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି । ମଙ୍ଗଳବାର ଟେଷ୍ଟର ଶେଷ ଦିନ । ଇଂଲଣ୍ଡ ସାମ୍ନାରେ ରହିଛି ୩୭୧ ରନର ବିଶାଳ ବିଜୟ ଲକ୍ଷ୍ୟ । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା ୱିକେଟ୍ ହରାଇ ୨୧ ରନ କରିଛି । ତେଣୁ ଶେଷ ଦିନରେ ଇଂଲଣ୍ଡକୁ ଦରକାର ୩୫୦ ରନ । ଅନ୍ୟପଟେ ଭାରତକୁ ଜିତିବା ପାଇଁ ଦରକାର ୧୦ ୱିକେଟ୍ । ଲିଡ୍ସ ଗ୍ରାଉଣ୍ଡରେ ବିଜୟ ଲକ୍ଷ୍ୟ ପିଛା କରିବାରେ ଇଂଲଣ୍ଡର ରେକର୍ଡ ଭଲ ରହିଛି । ଏହାକୁ ଦେଖି ଭାରତୀୟ ଦଳ ମନରେ ମଧ୍ୟ ଆଶଙ୍କା ରହିଛି ।
ହେଣ୍ଡିଗ୍ଲେରେ ସବୁଠୁ ଅଧିକ ବିଜୟ ଲକ୍ଷ୍ୟ ପିଛା କରିବାର ରେକର୍ଡ ଅଷ୍ଟ୍ରେଲିଆ ନାଁରେ ରହିଛି । ୧୯୮୪ରେ ଇଂଲଣ୍ଡ ବିପକ୍ଷରେ ୩ ୱିକେଟ୍ ହରାଇ ଅଷ୍ଟ୍ରେଲିଆ ୪୦୪ ରନ କରି ମ୍ୟାଚ୍ ଜିତି ନେଇଥିଲା । ଏହି ମଇଦାନରେ ୨୦୧୯ରେ ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ୯ ୱିକେଟ୍ ହରାଇ ୩୬୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା । ଏହାକୁ ଦେଖି ଭାରତୀୟ ପ୍ରଶଂସକଙ୍କ ମନରେ ଛନକା ପଶିଛି । କାଳେ ଇଂଲଣ୍ଡ ବିଜୟ ଲକ୍ଷ୍ୟ ପିଛା କରି ଦେବନି ତ । କିନ୍ତୁ ଟେଷ୍ଟ କ୍ରିକେଟର ଇତିହାସ ଉପରେ ନଜର ପକାଇଲେ ୩୭୧ ପରି ବଡ ବିଜୟ ଲକ୍ଷ୍ୟ ପିଛା କରିବା ବଡ ମୁସ୍କିଲ । ଏବେ ସବୁ ଭାରତୀୟ ବୋଲରଙ୍କ ଉପରେ ନିର୍ଭର କରେ । ଏହି ଟେଷ୍ଟକୁ ଦେଖିଲେ ପ୍ରଥମ ସମ୍ଭାବନା ଭାରତର ବିଜୟ, ଦ୍ୱିତୀୟ ଡ୍ର ଏବଂ ତୃତୀୟ ଇଂଲଣ୍ଡର ବିଜୟ ସମ୍ଭାବାନ ରହିଛି ।
ଲିଡ୍ସ ଟେଷ୍ଟରେ ପ୍ରଥମ ବ୍ୟାଟିଂ କରି ଭାରତ ୪୭୧ ରନ କରିଥିଲା । ଜବାବରେ ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍ ହେବାରୁ ଭାରତ ମାତ୍ର ୬ ରନ ଅଗ୍ରଣୀ ହାସଲ କରିଥିଲା । ଏହା ପରେ ଭାରତ ଦ୍ୱିତୀୟ ଇନିଂସରେ ୩୬୪ ରନ କରିଛି । ଏହିପରି ଇଂଲଣ୍ଡକୁ ମିଳିଛି ୩୭୧ ରନର ବିଜୟ ଲକ୍ଷ୍ୟ । ଦଳ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ବିନା ୱିକେଟ୍ ହରାଇ ୨୧ ରନ କରିଥିବା ବେଳେ ଅନ୍ତିମ ଦିନରେ ଦରକାର ୩୫୦ ରନ । ତେବେ ଆଜି ପ୍ରଥମ ସେସନର ଖେଳ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।
ହେଣ୍ଡିଗ୍ଲେରେ ଲକ୍ଷ୍ୟ ପିଛା କରି ଇଂଲଣ୍ଡର ୫ ବଡ ବିଜୟ
୩୬୨/୯ ବନାମ ଅଷ୍ଟ୍ରେଲିଆ- ୨୦୧୯
୩୧୫/୪ ବନାମ ଅଷ୍ଟ୍ରେଲିଆ- ୨୦୦୧
୨୯୬/୩ ବନାମ ନ୍ୟୁଜିଲାଣ୍ଡ- ୨୦୨୨
୨୫୪/୭ ବନାମ ଅଷ୍ଟ୍ରେଲିଆ- ୨୦୨୩
୨୧୯/୭ ବନାମ ପାକିସ୍ତାନ- ୧୯୮୨