ଲିଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ରିଷଭ ପନ୍ତ ଇତିହାସ ସୃଷ୍ଟି କରିଛନ୍ତି। ସେ ମ୍ୟାଚ୍ର ଉଭୟ ଇନିଂସରେ ଶତକ ହାସଲ କରିଥିବା ଟେଷ୍ଟ ଇତିହାସର ପ୍ରଥମ ଭାରତୀୟ ୱିକେଟ୍କିପର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ପୂର୍ବରୁ ଟେଷ୍ଟ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ୱିକେଟ୍କିପର ହୋଇସାରିଛନ୍ତି। ପନ୍ତ ପ୍ରଥମ ଇନିଂସରେ ୧୩୪ ରନ କରିଥିଲେ ଏବଂ ଏବେ ଦ୍ୱିତୀୟ ଇନିଂସରେ ୧୨୦ ବଲ୍ରେ ତାଙ୍କର ଶତକ ପୂରଣ କରିଛନ୍ତି।
ଭାରତୀୟ ଦଳ ୧୯୩୨ ମସିହାରେ ଏହାର ପ୍ରଥମ ଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ ଖେଳିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୯୩ ବର୍ଷର ଭାରତୀୟ ଟେଷ୍ଟ କ୍ରିକେଟ୍ ଇତିହାସରେ କୌଣସି ୱିକେଟ୍କିପର ବ୍ୟାଟ୍ସମ୍ୟାନ୍ ଏକ ଟେଷ୍ଟ ମ୍ୟାଚ୍ର ଉଭୟ ଇନିଂସ୍ରେ ଶତକ ହାସଲ କରିପାରି ନାହାନ୍ତି। ଏବେ ଋଷଭ ପନ୍ତ ଏପରି କରିଥିବା ପ୍ରଥମ ଭାରତୀୟ ୱିକେଟ୍କିପର ହୋଇଛନ୍ତି। ପନ୍ତ ବିଦେଶ ଗସ୍ତରେ ଖେଳୁଥିବା ସମୟରେ ଉଭୟ ଇନିଂସ୍ରେ ଶତକ ହାସଲ କରିଥିବା ବିଶ୍ୱର ପ୍ରଥମ ୱିକେଟ୍କିପର ବ୍ୟାଟସମ୍ୟାନ ମଧ୍ୟ ହୋଇଛନ୍ତି।
ଏହା ପୂର୍ବରୁ ଏହି ରେକର୍ଡ ପ୍ରଥମେ ଆଣ୍ଡି ଫ୍ଲାୱାର ବିଶ୍ୱରେ ସୃଷ୍ଟି କରିଥିଲେ। ଜିମ୍ବାୱେର ଆଣ୍ଡି ଫ୍ଲାୱାର ଏକ ଟେଷ୍ଟ ମ୍ୟାଚ୍ର ଉଭୟ ଇନିଂସ୍ରେ ଶତକ ହାସଲ କରିଥିବା ବିଶ୍ୱର ପ୍ରଥମ ୱିକେଟ୍କିପର ଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ସେ ଏହି ସଫଳତା ହାସଲ କରିଥିଲେ। ଇଂଲଣ୍ଡରେ ଖେଳୁଥିବା ସମୟରେ ରିଷଭ ପନ୍ତ ଟେଷ୍ଟ ମ୍ୟାଚ୍ର ଉଭୟ ଇନିଂସରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟ,ଋଷଭ ପନ୍ତ ଗୋଟିଏ ଟେଷ୍ଟ ମ୍ୟାଚର ଦୁଇଟି ଇନିଂସରେ ଶତକ ହାସଲ କରିବାରେ ସପ୍ତମ ଭାରତୀୟ ବ୍ୟାଟସମ୍ୟାନ୍। ଏହା ପୂର୍ବରୁ ସୁନୀଲ ଗାଭାସ୍କର ତିନିଥର, ରାହୁଲ ଦ୍ରାବିଡ ଦୁଇଥର, ବିଜୟ ହଜାରେ, ରୋହିତ ଶର୍ମା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ମଧ୍ୟ ଥରେ କରିସାରିଛନ୍ତି। ଏବେ ଏହି କିମ୍ବଦନ୍ତୀମାନଙ୍କ ତାଲିକାରେ ରିଷଭ ପନ୍ତଙ୍କ ନାମ ମଧ୍ୟ ଯୋଡି ହୋଇଛି।