ଲିଡ୍ସ: ରୋମାଞ୍ଚକର ମୋଡରେ ପହଞ୍ଚିଛି ଲିଡ୍ସ ଟେଷ୍ଟ । ଶେଷ ଦିନରେ ଭ୍ରମଣକାରୀ ଭାରତ ଓ ଘରୋଇ ଇଂଲଣ୍ଡ ପାଇଁ ମ୍ୟାଚ୍ ଜିତିବାର ସୁଯୋଗ ରହିଛି । ଭାରତ ଦ୍ୱିତୀୟ ଇନିଂସରେ ୩୬୪ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ସାମ୍ନାରେ ରହିଛି ୩୭୧ ରନର ବିଜୟ ଲକ୍ଷ୍ୟ । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା କୌଣସି ୱିକେଟ୍ ହରାଇ ୨୧ ରନ କରିଛି । ଜ୍ୟାକ କ୍ରାଉଲି ୧୨ ରନ ଓ ବେନ ଡକେଟ୍ ୯ ରନ କରି ଅପରାଜିତ ଅଛନ୍ତି । ଶେଷ ଦିନରେ ଇଂଲଣ୍ଡକୁ ମ୍ୟାଚ୍ ଜିତିବା ପାଇଁ ଦରକାର ୩୫୦ ରନ ଏବଂ ଭାରତକୁ ଆବଶ୍ୟକ ୧୦ ୱିକେଟ୍ । ତେବେ ଚତୁର୍ଥ ଦିନରେ ଆକର୍ଷଣର କେନ୍ଦ୍ର ପାଲଟିଥିଲେ କେଏଲ ରାହୁଲ ଓ ଋଷଭ ପନ୍ତ । ଉଭୟ ଶତକ ହାସଲ କରି ଭାରତର ସ୍ଥିତି ଦୃଢ କରିଛନ୍ତି ।
ଭାରତ ତୃତୀୟ ଦିନର ଅସମାପ୍ତ ଖେଳ ୯୦/୨ରୁ ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ଦିନର ଖେଳ ଆରମ୍ଭରୁ ଭାରତକୁ ଶୁଭମନ ଗିଲ(୮)ଙ୍କ ରୂପେ ବଡ ଝଟକା ଲାଗିଥିଲା । ଏହା ପରେ କେଏଲ ରାହୁଲ ଓ ଋଷଭ ପନ୍ତ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ବ୍ୟାଟର ଚତୁର୍ଥ ୱିକେଟ୍ ପାଇଁ ୧୯୫ ରନର ଭାଗିଦାରୀ କରି ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ଏହା ମଧ୍ୟରେ କେଏଲ ରାହୁଲ ନିଜର ଟେଷ୍ଟ କ୍ୟାରିୟରରେ ନବମ ଶକତ ପୂରା କରିଥିବା ବେଳେ ପନ୍ତ ଅଷ୍ଟମ ଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ୨୮୭ ରନରେ ପନ୍ତ ଆଉଟ୍ ହୋଇଥିଲେ । ସେ ୧୪୦ ବଲରୁ ୧୫ ଚୌକା ଓ ୩ ଛକା ସହ ୧୧୮ ରନର ଇନିଂସ ଖେଳିଥିଲେ ।
ତାଙ୍କ ପରେ ପରେ କେଏଲ ରାହୁଲ ୧୩୪ ରନର ଦମଦାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ଦୁଇ ବ୍ୟାଟର ଆଉଟ୍ ହେବା ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଏକଦା ୪ ୱିକେଟ୍ ହରାଇ ୩୩୩ ରନ କରିଥିବା ଭାରତ ବାକି ୬ ୱିକେଟ୍ ମାତ୍ର ୩୧ ରନରେ ହରାଇଥିଲା । କରୁଣ ନାୟର ପୁଣି ବିଫଳ ହୋଇ ୨୦ ରନ କରିଥିବା ବେଳେ ଶେଷ ଆଡକୁ ଜାଡେଜା ୨୫ ରନର ଅପରାଜିତ ଇନିଂସ ଖେଳିଥିଲେ । ଶେଷରେ ଭାରତ ୩୬୪ ରନରେ ଅଲଆଉଟ୍ ହୋଇଥିଲା ।
ବୋଲିଂରେ ବ୍ରାୟଡନ କାର୍ସ ଓ ଜୋଶ ଟଙ୍ଗ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହା ପୂର୍ବରୁ ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍ ହୋଇଥିଲା । ଓଲି ପପ ୧୦୬ ରନ ଓ ହ୍ୟାରି ବ୍ରୁକ ୯୯ ରନର ଇନିଂସ ଖେଳିଥିଲେ । ବୁମରା ୫ ୱିକେଟ୍ ନେଇ ଏକ ବଡ ରେକର୍ଡ ନିଜ ନାଁରେ କରିଥିଲେ ।