ଆମ ଓଡ଼ିଶାର ପର୍ବ ପର୍ବାଣୀ ଆଉ ପରମ୍ପରା ସତରେ ଖୁବ୍ ନିଆରା। ନାରୀ ର ନାରୀତ୍ଵ ର ପର୍ବ 'ରଜ'। ଗତ ୨୨ତାରିଖରେ ସ୍ଵାଭିମାନୀ ଓଡିଆ ଓମେନ୍ସ ୱାଲଡ୍ ଚେନ୍ନାଇ ପରିବାର ତରଫରୁ ଖୁବ ଧୂମଧାମରେ ପାଳିତ ହୋଇଯାଇଛି ରଜ ପର୍ବ। କନ୍ୟାଟିଏ ରଜସ୍ୱଳା ହେଲେ ମାତୃତ୍ଵ ପାଇବାର କ୍ଷମତା ଲାଭ କରେ। ଠିକ୍ ସେମିତି ଧରିତ୍ରୀ ମା ରଜରେ ରଜସ୍ୱଳା ହୋଇଥାଏ । ବସୁମତୀ ସ୍ନାନ ରେ ହଳଦୀ ପାଣିରେ ଗାଧୋଇ ଫସଲ ରୂପୀ ସନ୍ତାନ ଉତ୍ପାଦନ କରେ । କହିବାକୁ ଗଲେ ଏହା ଏକ କୃଷି ଭିତ୍ତିକ ପର୍ବ ।
ପ୍ରକୃତରେ ରଜ ଆରମ୍ଭ ହୁଏ ସଜବାଜ ଦିନଠୁ ରଜ ସଜବାଜ, ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଁଣ ଏବଂ ଶେଷରେ ବସୁମତୀ ସ୍ନାନ । ଦେହରେ ନୂଆଲୁଗା, ପାଦ ରେ ଅଳତା, ମଥାରେ ଚନ୍ଦନ କୁଙ୍କୁମ ଓ ଗୁଆ ଖୋଳପାର ଚପଲ ପିନ୍ଧି ଯେତେବେଳେ ଝିଅ ବୋହୂମାନେ ଗାଁ ଦାଣ୍ଡକୁ ବାହାରନ୍ତି ସତରେ ସେ ଦୃଶ୍ୟ ଖୁବ୍ ମନଲୋଭା । ପୋଡପିଠା ଆଉ ପାନର ବାସ୍ନାରେ ମହକେ ପୁର ପଲ୍ଲୀ । "ବନସ୍ତେ ଡାକିଲା ଗଜ" ର ସୁରେ ସୁରେ ନାଚି ଉଠେ ମନ ଆଉ ପାଦ । ରଜ ଦୋଳି, ବାଗୁଡ଼ି, ବୋହୁଚୋରି, ଆଉ ତାସ୍ ଖେଳରେ ମସଗୁଲ୍ ଲୋକେ ୩ ଦିନ ବିରତି ନିଅନ୍ତି ନିଜ ବ୍ୟସ୍ତ ବହୁଳ ଜୀବନରୁ । ସୁଦୂର ଚେନ୍ନାଇ ରେ ନିଜ ଜନ୍ମ ମାଟିର ସେହି ନିଆରା ପରମ୍ପରାକୁ ବଜାୟ ରଖିବାକୁ ସ୍ଵାଭିମାନୀ ଓଡିଆ ଓମେନ୍ସ ୱାଲଡ୍ ପରିବାରର ଏକ ଛୋଟିଆ ପ୍ରୟାସ। ଆମ କଳା, ସଂସ୍କୃତି, ପରମ୍ପରା କୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ଆମେ ସମସ୍ତେ ମିଳମିଶି ଉଦ୍ୟମ କରୁଥିଲୁ, କରୁଛୁ ଆଉ ଆଗକୁ କରିବୁ।