ଯାଜପୁର: ବିରଜା ମନ୍ଦିର ବୁଲି ଆସିଥିବା ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଯାଜପୁର ଦଶରଥପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଅନୀଲ ଜେନା । ତେବେ ସେ ପୋଲିସ ଆସିବା ଜାଣି ଭୟଭୀତ ହୋଇ କନିଅର ଫଳ ଖାଇଦେଇଥିବା ଜଣାପଡ଼ିଛି । ତାକୁ ଅସୁସ୍ଥ ଅବସ୍ଥାରେ ଯାଜପୁର ମେଡ଼ିକାଲରେ ଭର୍ତ୍ତ କରାଯାଇଛି ।
ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଦଶରଥପୁର ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଆଇଆଇସି ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବାରୁ ମଙ୍ଗଳପୁର ଥାନା ଆଇଆଇସି ଜଗଦୀଶ କରଙ୍କୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଯାଜପୁର ଏସଡିପିଓ ମଧ୍ୟ ଘଟଣା ଉପରେ ନଜର ରଖିଥିଲେ । ଆଇଆଇସି ଜଗଦୀଶ କରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ପୋଲିସ ଟିମ ଅନୀଲ ଜେନାଙ୍କ ଘରେ ପହଁଚିବାବେଳକୁ ସେ ପଡ଼ୋଶୀଙ୍କ ଘରେ ଲୁଚି ରହିଥିଲା । ପୋଲିସ ତା ମୋବାଇଲକୁ କଲ୍ କରି ଡାକିଥିଲା । କିନ୍ତୁ ଅନୀଲ ଭୟଭୀତ ହୋଇ କନିଅର ଫଳ ଖାଇ ପୋଲିସ ନିକଟରେ ହାଜର ହୋଇଥିଲା ।
ପୋଲିସ ପ୍ରଥମେ ଅନୀଲକୁ ଯାଜପୁର ମେଡ଼ିକାଲରେ ଭର୍ତ୍ତି କରିଥିଲା । ସେ ସୁସ୍ଥ ହେବା ପରେ ତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
ଏଠାରେ ପ୍ରକାଶ ଯୋଗ୍ୟ, ଦଶରଥପୁର ଥାନା ତରାଙ୍ଗସାଗରପୁର ଗ୍ରାମର ଜଣେ ଯୁବତୀ ଦିଲ୍ଲୀରେ ରୁହନ୍ତି । ଗତ ୨୧ ତାରିଖରେ ସେ ତାଙ୍କ ବାପାଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ଯାଜପୁର ଆସିଥିଲେ । ତାଙ୍କ ସହିତ ତାଙ୍କର ଜଣେ ବାନ୍ଧବୀ ଦିଲ୍ଲୀରୁ ଆସିଥିଲେ । ଉଭୟ ବିରଜାପୀଠକୁ ଦର୍ଶନ ପାଇଁ ଯାଇ ଘରକୁ ଫେରିବା ବେଳେ ବସରୁ ଓହ୍ଲାଇ ନନ୍ଦିପୁର ନିକଟରେ ସମ୍ପର୍କୀୟଙ୍କ ଅପେକ୍ଷା କରିଥିଲେ । ଏହି ସମୟରେ ପାଟଣାସାହିର ଦୁଇ ଯୁବକ ଅନୀଲ ଜେନା ଓ ନୀତେଶ ଜେନା ସେଠାରେ ବାଇକରେ ଆସି ଦୁଇ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଏହି ସମୟରେ ସମ୍ପର୍କୀୟ ଭାଇ ଏବଂ ପୁତୁରା ସେମାନଙ୍କୁ ନେବାକୁ ପହଁଚିବାରୁ ଅନୀଲ ଏବଂ ସୁନୀଲ ବାଇକ ଭଙ୍ଗାରୁଜା କରିଥିଲେ । ଏହା ପରେ ଦୁଇ ଯୁବତୀଙ୍କ ପାଖ ବିଲକୁ ଟାଣି ଟାଣି ନେଇଥିଲେ ।
ସାହାଯ୍ୟ ପାଇଁ ଦୁଇ ଜଣ ଯୁବତୀ ଚିତ୍କାର କରିବାରୁ ଅନୀଲ ଏବଂ ନୀତେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଏ ନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ ପାଇଁ ଏସପି ନିର୍ଦ୍ଦେଶ ଦେଇଥିଲେ ।