ବାଲେଶ୍ୱର: ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ପ୍ରେମିକ ସହିତ ମିଶି ସ୍ୱାମୀକୁ ହତ୍ୟା କରିଛି । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରୁ । ମୃତକ ହେଲେ ରମାକାନ୍ତ ଘୋଷ । ଗ୍ରାମବାସୀ ପ୍ରେମିକକୁ କାବୁ ପୋଲିସ ଜିମା ଦେଇଛନ୍ତି ।
ଜଳେଶ୍ୱର ଥାନା ଗୋବରଘଟା ପଞ୍ଚାୟତର ରମାକାନ୍ତ ଘୋଷ ଅଗ୍ରୱାଲା ଛକରେ ଏକ ଛୋଟିଆ ପାନ ଦୋକାନ କରି ପରିବାର ଚଳାଉଥିଲେ । କିନ୍ତୁ ଆଜି ଶନିବାର ସକାଳୁ ବାସଭବନରୁ ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ରମାକାନ୍ତକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରମାକାନ୍ତଙ୍କ ମୃତ୍ୟୁର ଖବର ପାଇ ଘରକୁ ଆସିଥିବା ମାନସ ଘୋଷକୁ ଗ୍ରାମବାସୀ କାବୁ କରିଛନ୍ତି । ମାନସ ଏବଂ ରମାକାନ୍ତଙ୍କ ପତ୍ନୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ମିଳିମିଶି ହତ୍ୟା କରିବା ପରେ ଫ୍ୟାନରେ ଝୁଲାଇ ଦେଇଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।
କିନ୍ତୁ ମାନସ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି । ରାତି ସାରା ସେ ତା ନିଜ ଘରେ ଥିଲା ବୋଲି କହିଛି । ମାନସ ବିବାହିତ ବୋଲି ଜଣାପଡ଼ିଛି ।
ସେପଟେ ମୃତ ରମାକାନ୍ତ ମାଆ ବିଜୟନୀ ଘୋଷ କହିଛନ୍ତି ପୁଅ ବୋହୂଙ୍କ ମଧ୍ୟରେ ଗତ କିଛି ଦିନ ଅଶାନ୍ତି ଲାଗି ରହିଥିଲା । ଆଜି ଭୋର ୫ଟା ବେଳକୁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।
ତେବେ ଜଳେଶ୍ୱର ପୋଲିସ ଖବର ପାଇ ଗାଁରେ ପହଁଚିଛି । ମାନସକୁ ଅଟକ ରଖି ପଚରା ଉଚରା କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏ ନେଇ ପୋଲିସ ସିଧାସଳଖ କୌଣସି ପ୍ରତିକ୍ରିୟା ରଖି ନାହିଁ ।