ଭୁବନେଶ୍ୱର: ରାଜ୍ୟରେ ଯେବେଠାରୁ ବିଜେପି ସରକାର ଆସିଛି ସେବେଠାରୁ ବେଆଇନ ନିଶା କାରବାର ଉପରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବେଆଇନ ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ଏକ ବର୍ଷ ମଧ୍ୟରେ ୫୮,୪୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି ।
ବିଭାଗ ପକ୍ଷରୁ ସୋସିଆଲ୍ ମିଡିଆ ଏକ୍ସରେ ଦିଆଯାଇଥିବା ସୂଚନା ଆଧାରରେ, ଓଡ଼ିଶାରେ ବେଆଇନ ମଦ ବିକ୍ରି ତଥା ନିଶା ଓ ବିଷାକ୍ତ ମାଦକ ଦ୍ରବ୍ୟ କାରବାର ବିରୋଧରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୭୩,୭୭୪ଟି ମାମଲା ରୁଜୁ ହୋଇଥିଲାବେଳେ ୫୮,୪୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ଏହି ଅବଧି ମଧ୍ୟରେ ପ୍ରାୟ ୨୮ ଲକ୍ଷ ବଲ୍କ ଲିଟର ବିଷାକ୍ତ ମଦ, ୩୪,୬୭୯ କିଲୋଗ୍ରାମ ଗଞ୍ଜେଇ, ୨୮,୫୭୫ ଗ୍ରାମ ବ୍ରାଉନସୁଗାର ଏବଂ ୩,୯୭,୭୨୫ କିଲୋଗ୍ରାମ ମହୁଲ ଫୁଲ ଜବତ ହୋଇଛି । ଏହାସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୯,୪୧୮ ଏକର ଜମିରେ ୧ କୋଟି ୨୭ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ବୋଲି ଅବକାରୀ ବିଭାଗ କହିଛି ।
ଏଠାରେ ପ୍ରକାଶ ଯୋଗ୍ୟ, ନିକଟରେ ବିଜେପି ସରକାର ଏକ ବର୍ଷ ପୂରଣ କରିଛି । ଗତ ଏକ ବର୍ଷ ମଧ୍ୟରେ ନୂତନ ସରକାର କେଉଁ କାର୍ଯ୍ୟ କରିଛନ୍ତି ତାର ଗୋଟି ଗୋଟି କରି ହିସାବ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ମଧ୍ୟ ତାର ଉପଲବ୍ଧି ବିଷୟରେ ସୂଚନା ପ୍ରଦାନ କରିଛି ।