ଝାରସଗୁଡ଼ା: ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ଘରେ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଗତ ୫ ଦିନ ହେଲା ବଡ଼ଧରଣର ଆୟକର ଚଢାଉ ଜାରି ରହିଛି । କିନ୍ତୁ ଏହି ପ୍ରସଙ୍ଗରେ ବିଜେଡ଼ିର ଚୁପ୍ ରହିବାକୁ ନେଇ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ କର୍ମୀ, ବିଶେଷ କରି ନବଙ୍କ ପରିବାର ଅନୁଗତମାନେ । ଏନେଇ ଦୀପାଳିଙ୍କ ସମର୍ଥକ ମଧ୍ୟରେ ଏବେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ଟିମ୍ ଦୀପାଳି ଦାସଙ୍କ ହ୍ୱାଟସ୍ ଆପ୍ ଗ୍ରୁପରେ ଦଳୀୟ କମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ‘ବିଜେଡ଼ି ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା’ ନେଇ ମତ ଘୂରି ବୁଲୁଛି।
- ଚର୍ଚ୍ଚାରେ ଝାରସୁଗୁଡ଼ା ପଲିଟିକ୍ସ
- ବିଜେଡ଼ି ଛାଡ଼ିବେ କି ଦୀପାଳି ଓ ବିଶାଳ?
- ଆୟକର ଚଢାଉର ସାଇଡ ଇଫେକ୍ଟ
- ବିଜେଡ଼ି ଉପରେ ଖପ୍ପା ନବଙ୍କ ଅନୁଗତ
- ଦଳ ଛାଡ଼ିବା ନେଇ ହେଉଛି ଚର୍ଚ୍ଚା
- ଆୟକର ଚଢାଉରେ ବିଜେଡ଼ି ନୀରବତାକୁ ନେଇ ଉଠାଇଲେ ପ୍ରଶ୍ନ
- ସୋସିଆଲ ମିଡ଼ିଆରେ ଅସନ୍ତୋଷ ଝାଡ଼ିଲେ ସମର୍ଥକ
ସୋସିଆଲ ମିଡ଼ିଆର ଏହି ଗ୍ରୁପ ଚାଟ୍ରେ ଜଣେ କର୍ମୀ ଲେଖିଛନ୍ତି, ସ୍ୱଗର୍ତ ନବ ଦାସଙ୍କ ପୁଅ ଓ ଝିଅକୁ ହଇରାଣ କରାଯାଉଛି, ନବଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ୫ ଦିନ ହେଲା ଆୟକର ବିଭାଗ ଚଢାଉ ଜାରି ରଖିଛି, ହେଲେ ଦୁଃଖର ବିଷୟ ଯେ, ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତା କିନ୍ତୁ ଏ ବିଷୟରେ ବିରୋଧ କରୁନାହାନ୍ତି କି ପଦୁଟିଏ ମୁହଁ ଖୋଲୁନାହାନ୍ତି । ତେଣୁ ଏଭଳି ସ୍ଥିତିରେ ଦଳ ଛାଡ଼ିବା ନେଇ ମତ ଲୋଡ଼ିଛନ୍ତି ଝାରସୁଗୁଡ଼ା ବିଜେଡ଼ିର ବରିଷ୍ଠ କର୍ମୀ ଓ ନବଙ୍କ ସମର୍ଥକ ।
ଗୋଟେ ପଟେ ଆୟକର ବିଭାଗର ଘନ ଘନ ଚଢାଉ ଆଉ ସେପଟେ ଚଢାଉକୁ ନେଇ ବିଜେଡ଼ି ମୁହଁ ନ ଖୋଲିବା ଘଟଣା ଦର୍ଶାଉଛି ଦୀପାଳି ଦଳରେ ଥାଇ ବି ନଥିଲା ପରି । ଏଥିପାଇଁ ନବଙ୍କ ପରିବାର ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ସୋସିଆଲ ମିଡ଼ିଆରେ ସମର୍ଥକଙ୍କ ମାଧ୍ୟମରେ ଜନମତ ସଂଗ୍ରହ ହେଉଥିବା ଅନୁମାନ କରାଯାଉଛି । ତିନୋଟି ହ୍ୱାଟସଆପ୍ ଗ୍ରୁପରେ ମାଧ୍ୟମରେ ଏଥିପାଇଁ ମତ ସଂଗ୍ରହ ଚାଲିଛି । ବିଜେଡ଼ି ଦଳ ପ୍ରତି ଦଳୀୟ କର୍ମୀଙ୍କ ଅସନ୍ତୋଷ ମଧ୍ୟରେ ଝାରସୁଗୁଡ଼ାରେ ଦୀପାଳି ସମର୍ଥକ ଏଭଳି ସୋସିଆଲ ମିଡ଼ିଆରେ ଆଲୋଚନା କରିବା ଘଟଣାକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ଯେ ନବଙ୍କ ପରିବାର ଓ ସମର୍ଥକ ଖୁବଶୀଘ୍ର ବିଜେଡ଼ି ଛାଡ଼ିପାରନ୍ତି । ତେବେ ଆଗାମୀ ଦିନରେ ସେମାନେ କେଉଁଆଡେ ଯିବେ, ବିଜେପି ନା କଂଗ୍ରେସ କେଉଁ ଦଳରେ ସାମିଲ ହେବେ ତାହା ଦେଖିବାକୁ ବାକି ରହିଲା ।