ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜନୀତିରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସମାଜବାଦୀ ପାର୍ଟି ଏକକାଳୀନ ତିନି ବିଧାୟକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସପା ତିନି ଜଣ ବିଧାୟକଙ୍କୁ ସୋମବାର ଦଳରୁ ବହିଷ୍କାର କରିଛି । ଗୋଶାଇଗଂଜ ବିଧାୟକ ଅଭୟ ସିଂହ, ଗୌରୀଗଂଜ ବିଧାୟକ ରାକେଶ ପ୍ରତାପ ସିଂହ ଏବଂ ଉଞ୍ଚାହାର ନିର୍ବାଚନ ମଣ୍ଡଳୀର ବିଧାୟକ ମନୋଜ କୁମାର ପାଣ୍ଡେଙ୍କୁ ଦଳରୁ ନିଷ୍କାସିତ କରାଯାଇଛି ।
ଦଳ ପକ୍ଷରୁ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ସ୍ପଷ୍ଟ ସୂଚନା ଦେଇଛି ଯେ ସମାଜବାଦୀ ପାର୍ଟି ସାମ୍ପ୍ରଦାୟିକ ବିଭାଜନକାରୀ ନକରାତ୍ମକତା ଏବଂ ଚାଷୀ, ମହିଳା, ଯୁବକ, ବ୍ୟବସାୟ, ନିଯୁକ୍ତିପ୍ରାପ୍ତ ଏବଂ ପିଡିଏ ବିରୋଧୀ ଚିନ୍ତାଧାରାକୁ କେବେବି ସମର୍ଥନ କରିବ ନାହିଁ । ସମାଜବାଦୀ ସମନ୍ୱୟ ଏବଂ ସକାରାତ୍ମକ ଚିନ୍ତାଧାରାର ରାଜନୀତିର ଏହା ବିପରୀତ ବୋଲି କୁହାଯାଇଛି । ବିଧାୟକ ଅଭୟ ସିଂହ, ରାକେଶ ପ୍ରତାପ ସିଂହ ଏବଂ ମନୋଜ କୁମାର ପାଣ୍ଡେଙ୍କୁ ପରିବର୍ତ୍ତନ ପାଇଁ ଯଥେଷ୍ଟ ସମୟ ଦିଆଯାଇଥିଲା । କିନ୍ତୁ ଏହି ଅବଧି ସମାପ୍ତ ହୋଇଛି । ଭବିଷ୍ୟତରେ ମଧ୍ୟ ଦଳରେ ଜନ ବିରୋଧୀ ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବ ନାହିଁ ଏବଂ ଦଳର ମୌଳିକ ଚିନ୍ତାଧାରା ବିପରୀତ କାର୍ଯ୍ୟକଳାପ ସର୍ବଦା ଅକ୍ଷମଣୀୟ ବୋଲି ବିବେଚନା କରାଯିବ ।
ଏଠାର ପ୍ରକାଶ ଯୋଗ୍ୟ, ଗତ ବର୍ଷ ରାଜ୍ୟସଭା ନିର୍ବାଚନ ସମୟରେ ୮ ଜଣ ଏସପି ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଯେଉଁଥିପାଇଁ ଜଣେ ଏସପି ପ୍ରାର୍ଥୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ସଂଖ୍ୟା ନଥିବା ସତ୍ତ୍ୱେ, ଅଷ୍ଟମ ବିଜେପି ପ୍ରାର୍ଥୀ ବିଜୟୀଲାଭ କରିଥିଲେ । ତେବେ ଦଳ ତିନି ଜଣ ବିଧାୟକଙ୍କୁ ବହିଷ୍କାର କରିଥିବାବେଳେ ଅନ୍ୟ ବିଧାୟକ ପୂଜା ପାଲ, ରାକେଶ ପାଣ୍ଡେ, ବିନୋଦ ଚତୁର୍ବେଦୀ, ଆଶୁତୋଷ ଚତୁର୍ବେଦୀ ଏବଂ ମହାରାଜୀ ଦେବୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।