ଭୁବନେଶ୍ୱର: ସର୍ଭାଇକାଲ୍ ଆର୍ଥରାଇଟିସ୍ ରୋଗରେ ପୀଡ଼ିତ ଥିବା ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ମୁମ୍ବାଇ ଗସ୍ତ କରିଛନ୍ତି । ସେଠାରେ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କର ଚିକିତ୍ସା ହେବ । ଆସନ୍ତା ଜୁନ ୨୨ ତାରିଖରେ ନବୀନଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଜନିତ ଅସ୍ତ୍ରୋପଚାର ହେବ । ତାଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନବୀନଙ୍କର ଚିକିତ୍ସା ଚାଲିଛି ।
ନବୀନଙ୍କ ଆରୋଗ୍ୟ ପାଇଁ ବିଜେଡ଼ି ମହିଳା ନେତ୍ରୀମାନେ କଳସ ବସାଇ ଶୁଭ ମନାସୀ ଶଙ୍ଖ ହୁଳହୁଳି ପକାଇଛନ୍ତି । ସେହିପରି ବିଜୁ ପଟ୍ଟନାୟକ ଛକରେ ବିଜୁ ଯୁବ ଛାତ୍ର ନେତାମାନେ ମଧ୍ୟ ସୁପ୍ରିମୋଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଦଳର ବରିଷ୍ଠ ନେତୃବୃନ୍ଦ ନବୀନଙ୍କ ଭେଟି ବିଦାୟ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବୁଧବାର ନବୀନ ନିଜେ ସର୍ଭାଇକାଲ୍ ଆର୍ଥରାଇଟିସ୍ ରୋଗରେ ପୀଡ଼ିତ ଥିବା ନେଇ ଏକ୍ସରେ ସୂଚନା ଦେଇଥିଲେ । ଏଥିପାଇଁ ସେ ମୁମ୍ବାଇ ଯାଇ କୋକିଲାବେନ ମେଡ଼ିକାଲରେ ଚିକିତ୍ସା କରିବେ ବୋଲି କହିଥିଲେ । ତାଙ୍କ ଆରୋଗ୍ୟ କାମନା କରିବାକୁ ସେ ଅନୁରୋଧ କରିଥିଲେ । ସେ ସୁସ୍ଥ ହୋଇ ଫେରିବା ପରେ ପୁଣି ଥରେ ଲୋକଙ୍କ ସେବା କରିବେ ବୋଲି କହିଥିଲେ ।