ଜମ୍ମୁକାଶ୍ମୀର: ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମର ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଦୁଇ ଅଭିଯୁକ୍ତଙ୍କୁ ଜମ୍ମୁର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ରିତେଶ କୁମାର ଦୁବେଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ଗତକାଲି (ରବିବାର) ଠାରୁ ଜାତୀୟ ତଦନ୍ତ ସଂସ୍ଥା (NIA) ଦୁଇ ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି । ଗିରଫ ଦୁଇ ଅଭିଯୁକ୍ତ ପରୱେଜ ଅହମଦ ଜୋଠାର ଓ ବଶିର ଅହମଦ ଜୋଠାର । ତେବେ NIA ଜୁନ୍ ୨୭ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ହେପାଜତକୁ ନେଇ ତଦନ୍ତ କରିବ ବୋଲି ଜଣାପଡିଛି ।
NIA ର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ପହଲଗାମ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ ତିନି ସଶସ୍ତ୍ର ଆତଙ୍କବାଦୀଙ୍କ ପରିଚୟ ଦେଇଥିଲେ । ସେମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବ ସହିତ ଜଡିତ ପାକିସ୍ତାନୀ ନାଗରିକ ବୋଲି ସ୍ପଷ୍ଟ କରାଯାଇଛି । ଅଭିଯୁକ୍ତମାନେ ହିଲ୍ ପାର୍କର ଏକ ଋତୁକାଳୀନ ଢୋକ୍ (କୁଟି) ରେ ତିନି ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। ଦୁଇ ଅଭିଯୁକ୍ତ ଆତଙ୍କବାଦୀମାନଙ୍କୁ ଖାଦ୍ୟ, ଆଶ୍ରୟ ସହ ସବୁ ପ୍ରକାରର ସୁବିଧା ଯୋଗାଇଥିଲେ । ଏବେ ଆକ୍ରମଣକୁ ନେଇ NIA ତନାଘନା ଜେରା ଚଳାଇଛି ।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମର ଧର୍ମ ପଚାରି ପର୍ଯ୍ୟଟକଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨୬ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସାରା ବିଶ୍ଵକୁ ଦୋହଲାଇ ଦେଇଥିଲା ।