ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମ ଆତଙ୍କୀ ହମଲାର ତଦନ୍ତ କରୁଥିବା ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)କୁ ମିଳିଛି ବଡ ସୁରାକ । ଏନଆଇଏ ମତରେ ହମଲା କରିଥିବା ତିନି ଆତଙ୍କବାଦୀ ପାକିସ୍ତାନର ବାସିନ୍ଦା ଏବଂ ଆତଙ୍କୀ ସଂଗଠନ ଲସ୍କର ଏ ତୋଇବାର ସଦସ୍ୟ । ଦୁଇ କାଶ୍ମୀରୀ ନାଗରିକ ପରଭେଜ ଅହମ୍ମଦ ଜୋଥର ଓ ବଶିର ଅହମ୍ମଦ ଜୋଥରର ଗିରଫଦାରୀ ପରେ ଏହାର ଖୁଲାସା ହୋଇଛି । ଆକ୍ରମଣକାରୀଙ୍କୁ ନିଜ ଘରେ ରହିବାକୁ ଜାଗା, ଖାଇବା ଏବଂ ସବୁ ପ୍ରକାରର ସୁବିଧା ଯୋଗାଇ ଦେବାର ଅଭିଯୋଗ ଦୁଇ ଜଣଙ୍କ ବିରୋଧରେ ହୋଇଛି ।
ଏନଆଇଏ ଅନୁଯାୟୀ ଏପ୍ରିଲ ୨୦ ରାତିରେ ତିନି ଆତଙ୍କବାଦୀ ଦୁଇ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ । ଆତଙ୍କବାଦୀ ଖାଇବାକୁ ମାଗିଥିଲେ ଏବଂ ଟଙ୍କା ଦେଇ ଅନ୍ୟ କାହାରିକୁ କିଛି ନ ଜଣାଇବାକୁ ଧମକ ଦେଇଥିଲେ । ହମଲା ପରେ ଜମ୍ମୁ-କାଶ୍ମୀର ପୋଲିସ ଯେଉଁ ତିନି ସନ୍ଦିଗ୍ଧ ହାସିମ ମୁସା, ଅଲୀ ଭାଇ ଓରଫ ତଲହା ଓ ଆଦିଲ ହୁସେନ ଠୋକରଙ୍କ ଯେଉଁ ସ୍କେଚ ଜାରି କରିଥିଲା ତାହା ଭୁଲ ପ୍ରମାଣିତ ହୋଇଛି ।
ତଦନ୍ତରୁ ଜଣା ପଡିଛି ଯେ, ପ୍ରକୃତ ଆକ୍ରମଣକାରୀଙ୍କ ମଧ୍ୟରେ ଜଣଙ୍କ ନାଁ ହେଉଛି ସୁଲେମାନ ଶାହ । ସେ ଗତ ବର୍ଷ ସୁଡଙ୍ଗରେ ହୋଇଥିବା ହମଲାର ଅଭିଯୁକ୍ତ ଥିଲା । ଏହି ହମଲାରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ତାର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ଆତଙ୍କୀର ଫୋନରୁ ମିଳିଥିବା ଫଟୋକୁ ଏନଆଇଏ ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ବ୍ୟବହାର କରିଛି ।
ଏନଆଇଏ ଓ କେନ୍ଦ୍ରୀୟ ଏଜେନ୍ସି ହମଲା ପୂର୍ବରୁ ଥିବା ଅନେକ ଫଟୋ ପରଭେଜ ଓ ବଶିରଙ୍କୁ ଦେଖାଇଥିଲେ । ଉଭୟ ଚିହ୍ନଟ କରିଥିଲେ ଏବଂ ଦୁଇ ଦିନ ପୂର୍ବେ ଅର୍ଥାତ ଏପ୍ରିଲ ୨୦ରେ ତାଙ୍କ ଘରକୁ ଆସିଥିଲେ ବୋଲି କହିଥିଲେ । ଅନ୍ୟ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଫଟୋରେ ଥିବା ବ୍ୟକ୍ତି ଆକ୍ରମଣକାରୀ ଥିବା କହିଛନ୍ତି । ଉଲ୍ଲେଖନୀୟ କାଶ୍ମୀରରେ ହୋଇଥିବା ଏନକାଉଣ୍ଟରରେ ନିହତ ଆତଙ୍କୀ ଜୁନେଦର ଫନୋରୁ ଏହି ଫଟୋ ମିଳିଥିଲା ।