ପୁରୀ: ପୁରୀ ବୀରଗୋବିନ୍ଦପୁର ଗ୍ରାମର ପୁଞ୍ଜି ହେଉଛି କଳା । ଏହି ଗ୍ରାମ କଳା, ଦକ୍ଷତା ବିକାଶ ଓ ଜ୍ଞାନ ପରିପ୍ରକାଶର କେନ୍ଦ୍ର ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ସ୍ଥିତ ମାଆ ଦକ୍ଷିଣକାଳୀ ମନ୍ଦିର ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଗୁଡ଼ିକ ଲୋକାର୍ପଣ କରିଛନ୍ତି । ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ହେଲା କମ୍ୟୁନିଟି ହଲ, ବହୁମୁଖୀ ଦକ୍ଷତା ତାଲିମ କେନ୍ଦ୍ର, ଯୋଗକେନ୍ଦ୍ର, ଆଲୋକୀକରଣ ସହ ଶୌଚାଳୟ, ପାନୀୟ ଜଳର ସୁବିଧା, ପୋଖରୀ ସୌନ୍ଦର୍ଯ୍ୟକରଣ ଓ ପାର୍କ କାର୍ଯ୍ୟ ।
ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଲୋକାର୍ପିତ ପ୍ରକଳ୍ପଗୁଡ଼ିକ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ । ବହୁମୁଖୀ ଦକ୍ଷତା ତାଲିମ୍ କେନ୍ଦ୍ରରେ ଆମର ମାଆ ଭଉଣୀମାନେ ସିଲେଇ ମେସିନ୍, ହସ୍ତଶିଳ୍ପ, ପଟ୍ଟଚିତ୍ର ଆଦିର ପ୍ରଶିକ୍ଷଣ ପାଇପାରିବେ । ଝିଅମାନେ କମ୍ପୁଟର ଶିକ୍ଷା ଗ୍ରହଣ କରି ଦେଶ ଦୁନିଆର ଖବର ଜାଣିପାରିବେ । ଏହା ଦ୍ୱାରା ଏଠାରେ ଐତିହ୍ୟ ଓ ପରମ୍ପରାକୁ ଆଗକୁ ନେବାର ବ୍ୟବସ୍ଥା କରାଯିବା ସହ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି । ଏହି ପଦକ୍ଷେପ ଦ୍ୱାରା ଏହି ଗ୍ରାମ କଳା, ଦକ୍ଷତା ବିକାଶ ଓ ଜ୍ଞାନ ପରିପ୍ରକାଶର କେନ୍ଦ୍ର ହେବ । ଏଥିପାଇଁ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲକୁ ଧନ୍ୟବାଦ ଜଣାଇଛନ୍ତି ।
ସେହି କହିଛନ୍ତି ଯେ ଭାରତର ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକାଠି କରିବାକୁ ପଡିବ । ଏଆଇ ଟୁଲର ଉପଯୋଗ କରି ଆମର ପ୍ରାଚୀନ ଜ୍ଞାନ ଆମକୁ କଣ ସହାୟତା କରିପାରେ, ଭବିଷ୍ୟତ ପାଇଁ କଣ ସହାୟକ ହୋଇପାରେ, ସେ ଦିଗରେ ଯୋଜନା କରିବା ଦରକାର ।
ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ପୁରୀ ଜିଲ୍ଲାର ବିଭିନ୍ନ ବିଧାୟକ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନେ ସାମିଲ ହୋଇଥିଲେ ।
ଉଲ୍ଲେଖନୀୟ ଯେ, ୩ ଜୁନ୍ ୨୦୨୨ ମସିହାରେ କେନ୍ଦ୍ର ମନ୍ତ୍ରୀ ଏହି ଗ୍ରାମକୁ ଆସି ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।